Unknown

 

 

 

 

 

 

 

 

 

 

 

ସଂସାର

ନିଶାକର ପାଢ଼ୀ

 

ଏ ବହି ବିଷୟରେ ପଦେ

 

ଉକ୍ତ ପୁସ୍ତକର ଲେଖକ ସ୍ଵର୍ଗତ ନିଶାକର ପାଢ଼ୀ ୧୯୮୮ ମସିହାରେ ୭୮ ବର୍ଷ ବୟସରେ ସ୍ଵର୍ଗାରୋହଣ କରିଥିଲେ । ବହି ଲେଖି ନାଁ କମାଇବା କିମ୍ବା ପଇସା ରୋଜଗାର କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା । ଲୋକଙ୍କୁ କେତୋଟି କଥା, ଯାହାଦ୍ୱାରା ସେମାନଙ୍କର ତଥା ସମାଜର ମଙ୍ଗଳ ହେବ, କହିବା ପାଇଁ ସେ ଏ ବହିଟି ଲେଖିଥିଲେ । ସଂସାରରେ ସୁରୁଖୁରୁରେ ଚଳିବା ପାଇଁ ଜଣେ ବ୍ୟକ୍ତିକୁ କେତୋଟି କଥା ମାନିବା ଉଚିତ । ସେଗୁଡ଼ିକ ଏଥିରେ ବିଭିନ୍ନ ଉପାୟରେ ଲିପିବଦ୍ଧ ହୋଇଛି । ଯଦି କାହାକୁ ଏ ବହିଟି ପୂରା ପଢ଼ିବା ପାଇଁ ସମୟ ମିଳିବ ନାହିଁ, ତେବେ ଅତି କମରେ “କେତୋଟି ନିୟମ” ଶୀର୍ଷକ ପୃଷ୍ଠାଟି ପଢ଼ିଲେ ଓ ସେ ଅନୁସାରେ କାର୍ଯ୍ୟ କଲେ ଯଥେଷ୍ଟ ହେବ ବୋଲି ମୁଁ ଆଶା କରୁଛି ।

 

ସେ ଅପର ପ୍ରାଇମେରୀ (U.P.) ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିଲେ । ଏ ବହିଟି ଲେଖି ଛାପିବାକୁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କର ବଡ଼ ଜ୍ଵାଇଁ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମିଶ୍ର (ପୀରହାଟ ଶାନ୍ତି-ଶୈଳେନ୍ଦ୍ର ଉଚ୍ଚ ବିଦ୍ୟାଳୟର ତତ୍କାଳୀନ ଶିକ୍ଷକ) ଭଦ୍ରକର ଏକ ପ୍ରେସ୍‍ ସହ ଯୋଗାଯୋଗ କରିଥିଲେ । ସର୍ତ୍ତ ମୁତାବକ ଲେଖକଙ୍କୁ ବହି ଛାପିବା ପାଇଁ କୌଣସି ଖର୍ଚ୍ଚ ବହନ କରିବାକୁ ପଡ଼ିବ ନାହିଁ । ପ୍ରେସ୍‍ ତା’ ସୁବିଧା ଅନୁସାରେ ବହି ଛାପି ବିଭିନ୍ନ ଅନୁଷ୍ଠାନକୁ ବିକ୍ରି କରି ପଇସା ପାଇବ । ଲେଖକଙ୍କୁ କେବଳ ୫୦ ଖଣ୍ଡ ବହି ମାଗାଣାରେ ଯୋଗାଇଦେବ । ମୁଁ ଭଦ୍ରକ କଲେଜରେ (୧୯୬୨-୬୪) ବି.ଏସ୍‍ସି. ପଢ଼ିବା ବେଳେ ଏ ବହିର ପ୍ରୁଫ୍‍ ରିଡିଂ କରିବାର ସୁଯୋଗ ପାଇଥିଲି । ଲେଖକ ଖଣ୍ଡିଏ ବହି ନିଜ ପାଖରେ ରଖି ଅନ୍ୟ କପିଗୁଡ଼ିକୁ ବାଣ୍ଟି ଦେଇଥିଲେ । ମୁଁ ମଧ୍ୟ ଖଣ୍ଡିଏ ବହି ପାଇଥିଲି କିନ୍ତୁ ସମୟ କ୍ରମେ ମୋ’ଠାରୁ କିଏ ସେଖଣ୍ଡକ ନେଇଗଲେ ମୋର ମନେ ନାହିଁ । ମୃତ୍ୟୁ ପରେ ତାଙ୍କ ଆଲମିରାରୁ ତାଙ୍କ କପିଟି ପାଇଲି । ଏବେ ସେ ଖଣ୍ଡକ ମୋ ପାଖରେ ଅଛି ଓ ଏହା ସାହାଯ୍ୟରେ ଆଉଥରେ ବହିଟିକୁ ଛାପିବାକୁ ଉଦ୍ୟମ କରାଯାଇଛି । ଏଥିରେ ମୂଳ ସଂସ୍କରଣର କୌଣସି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ଏହା ଲୋକଙ୍କ ଉପକାରରେ ଲାଗିବ ବୋଲି ମୁଁ ଆଶା କରୁଛି ।

 

ତାଙ୍କ ମୁହଁରୁ ମୁଁ ଶୁଣିଛି ଯେ ଜଣେ ଜମିଦାର ତାଙ୍କୁ ମାଟ୍ରିକ୍‍ ପଢ଼ିବା ପାଇଁ ସାହାଯ୍ୟ କରିବାକୁ ଇଚ୍ଛୁକ ଥିଲେ । କିନ୍ତୁ ପରିବାରରେ ବିଧବା ତଥା ରୋଗିଣା ମାଆ ଓ ସାନ ଭାଇର ଯତ୍ନ ନେବା ପାଇଁ ସେ ପାଠ ନ ପଢ଼ି ଶିକ୍ଷକତା କରିଥିଲେ । ସମ୍ବନ୍ଧରେ ଲେଖକ ମୋର ବଡ଼ ଭିଣୋଇ ଥିଲେ ବି ପ୍ରକୃତରେ ସେ ମୋର ପିତୃତୁଲ୍ୟ ଥିଲେ । ତାଙ୍କ ଚେଷ୍ଟାରେ ମୁଁ ଏକ ଅନ୍ଧାର ମୂଲକରୁ ବାହାରି ଆଇ.ଆଇ.ଟି. କାନପୁର (I.I.T., Kanpur) (ଉତ୍ତରପ୍ରଦେଶ)ରୁ ଗଣିତରେ ପିଏଚ୍‍.ଡି. କରିବାକୁ ସକ୍ଷମ ହୋଇଥିଲି । ପ୍ରକୃତରେ କହିବାକୁ ଗଲେ ତାଙ୍କ ଚେଷ୍ଟା ତଥା ଆଶୀର୍ବାଦରୁ ମୁଁ ଜଣେ ମଣିଷ ହୋଇପାରିଛି । ତାଙ୍କର କର୍ତ୍ତବ୍ୟପରାୟଣତା, ସାଧୁତା ଓ ମନୁଷ୍ୟତା ଭଳି ଗୁଣରେ ତାଙ୍କର କେତେକ ଛାତ୍ର ବିଶେଷତଃ ସ୍ଵର୍ଗତ ଗୟାଧର ଦତ୍ତ ତଥା ମୁଁ ଅନୁପ୍ରାଣିତ ହୋଇଥିଲୁ ।

 

ଡଃ ନରହରି ପାଢ଼ୀ

ଅବସର ପ୍ରାପ୍ତ ଗଣିତ ପ୍ରଫେସର, ବ୍ରହ୍ମପୁର

ବିଶ୍ୱବିଦ୍ୟାଳୟ (ମୋ: ୮୮୯୫୧୮୧୯୯୫)

Image

 

ସୂଚୀପତ୍ର

 

୧ମ ଅଧ୍ୟାୟ (ସଂସାର)

୧.

ବିପଦହିଁ ପରମ ବନ୍ଧୁ

୨.

ଗଭୀର ଚିନ୍ତା

୩.

ମନର ଚଞ୍ଚଳତା

୪.

ଭାଗ୍ୟ

୫.

ବିବେକ (ବିଚାରଶକ୍ତି)

୬.

ଇନ୍ଦ୍ରିୟ-ସଂଯମ

୭.

ଧନର ଆବଶ୍ୟକତା

୨ୟ ଅଧ୍ୟାୟ (ସୁଖ)

୮.

ଗୁରୁ

୯.

ସୁଖ ଓ ଦୁଃଖ

୧୦.

ସନ୍ନ୍ୟାସୀ ଓ ଗୃହୀ

୩ୟ ଅଧ୍ୟାୟ (ଈଶ୍ଵର)

୧୧.

ଈଶ୍ଵରଙ୍କ କାର୍ଯ୍ୟ ଓ ଈଶ୍ଵର ପ୍ରାପ୍ତି

୧୨.

ଈଶ୍ଵରଙ୍କ ସ୍ଥୂଳ ରୂପ

୧୩.

ମୂର୍ତ୍ତି ପୂଜା

୧୪.

ଧର୍ମ କାହାକୁ କହନ୍ତି

୧୫.

କେତୋଟି ନିୟମ

Image

 

Image

Image

 

ସଂସାର

ପ୍ରଥମ ଅଧ୍ୟାୟ (ସଂସାର)

 

ବୈଶାଖ ମାସ । ଦିନ ବାରଟା ବାଜିଛି । ପ୍ରଚଣ୍ଡ ଖରା । ବିନା ଜରୁରୀ କାମରେ କେହି କୁଆଡ଼େ ଯାଉନାହାନ୍ତି । ପକ୍ଷୀଗୁଡ଼ିକ ବୃକ୍ଷର ଅନ୍ତରାଳରେ ଛପି ରହି ଯାଇଛନ୍ତି । ଖରାର ଉତ୍ତାପ ସହ୍ୟ କରି ନ ପାରି ବେଳେବେଳେ ଟିକିଏ ରାବି ଦେଉଛନ୍ତି । ଗାଈ, ବଦଳ, ମେଣ୍ଢା, ଛେଳି ପ୍ରଭୃତି ଗୃହପାଳିତ ପଶୁଗୁଡ଼ିକ ଗ୍ରାମକୁ ପଳାଇ ଯାଇ ପୋଖରୀରୁ ପାଣି ପିଇ ପୋଖରୀ ପାଖ ବୃକ୍ଷ ମୂଳରେ ଶୋଇଛନ୍ତି ।

 

ଜଣେ ବାଟୋଇ ଠିକ୍‍ ଏତିକି ବେଳେ ସଡ଼କରେ ଯାଉଥିଲେ । ଗରମ ଓ ଶୋଷରେ ସେ ଅସ୍ଥିର ହେଲେ । ସେ ଏବେ କରନ୍ତି କଅଣ ? ନିକଟରେ ଗ୍ରାମ ନାହିଁ କି କୂଅ ପୋଖରୀ ନାହିଁ-। ସେ ଏହିପରି ହତାଶ ଭାବରେ ଚାଲୁ ଚାଲୁ କିଛି ଦୂରରେ ସଡ଼କର ଏକ ପାଖରେ ଗୋଟିଏ ପୋଖରୀ ପାଇଲେ । ସେ ପୋଖରୀ ଭିତରକୁ ପଶିଯାଇ ମୁଣ୍ଡ ଓ ହାତ ଗୋଡ଼ ଧୋଇ ଆକଣ୍ଠ ପାଣି ପିଇଲେ । ପୋଖରୀ କୂଳରେ ଗୋଟିଏ ବଟବୃକ୍ଷ ଥିବାରୁ ଓ ପାଣିରେ ପଦ୍ମପତ୍ର ମାଡ଼ି ରହିଥିବାରୁ ପାଣି ଶୀତଳ ଓ ପରିଷ୍କାର ଥିଲା । ତେଣୁ ସେହି ପାଣି ତାଙ୍କୁ ଅମୃତ ପରି ଲାଗିଲା-। ପେଟ ପୂରିଗଲେ ସୁଦ୍ଧା ସେ ପାଣି ପିଇବା ବନ୍ଦ କରିପାରୁନାହାନ୍ତି; ଭାବୁଛନ୍ତି ଆହୁରି ପିଇବି-। ଯେତେବେଳେ ସେ ମନ ଭିତରେ ବିଚାର କଲେ, ପେଟରେ ଆଉ ପାଣି ଧରିବ ନାହିଁ ପୁଣି ଦେହ ଅସୁସ୍ଥ ହେବ; ସେତେବେଳେ ପାଣି ପିଇବା ବନ୍ଦ କଲେ ।

 

ସେ ପାଣି ପିଇସାରି ଭାବିଲେ ଏହି ବୃକ୍ଷ ମୂଳରେ ବସି ଦ୍ଵିପ୍ରହରଟା କଟାଇ ଦେବି । ବୃକ୍ଷ ମୂଳରେ ଥଣ୍ଡା ପବନ । ସେ ସେଠାରେ ବସି ପଡ଼ିଲେ । କିଛିକ୍ଷଣ ପୂର୍ବରୁ ଅନ୍ୟ ଜଣେ ବାଟୋଇ ଥକିପଡ଼ି ସେହି ବୃକ୍ଷମୂଳରେ ବସିଥିଲେ । ଦୁହେଁ ଦୁହିଁଙ୍କୁ ପାଇ ଖୁସିହେଲେ ଏବଂ ଗପସପ ଆରମ୍ଭ କରିଦେଲେ । ୧ମ ବାଟୋଇ–(ପଛରେ ଆସିଥିବା ବାଟୋଇ ପ୍ରତି) ତୁମ୍ଭଙ୍କୁ ବୋଧହୁଏ ଅଧିକ ଶୋଷ ଲାଗିଥିଲା । ପୋଖରୀକୁ ପାଣି ପିଇବାକୁ ଗଲାବେଳେ ବଡ଼ ଅସ୍ଥିର ଥିବାର ଦେଖାଯାଉଥିଲ ।

 

୨ୟ ବାଟୋଇ–ହଁ, ସେକଥା ଆଉ କହୁଛନ୍ତି କଅଣ ? ମୁଁ ଅଳ୍ପକେ ରକ୍ଷା ପାଇଗଲି । ଖରାକୁ ଖାତିର୍‍ ନ କରି ବାହାରି ପଡ଼ିଲି । ବାଟରେ ନାହିଁ ପୋଖରୀ, ନାହିଁ କୂଅ । ଯେତେ ଚାଲିଲି ଶୋଷ ତେତେ ବେଶି ଲାଗିଲା । ତଣ୍ଟି ଶୁଖି ଆସିଲା । ମୁଁ ଆଗରୁ ଶୁଣିଥିଲି, ଖରାବେଳେ ପାଣି ଅଭାବରୁ କେହି କେହି ବାଟରେ ମରି ଯାଇଛନ୍ତି । ମୋ ମନରେ ଏହି ଆଶଙ୍କା ଜାଗ୍ରତ ହେଲା । ଜୀବନର ଆଶା ଛାଡ଼ି ଆଗକୁ ଆଗକୁ ଚାଲିଲି । ଭାଗ୍ୟକୁ ଏଠାରେ ପୋଖରୀଟିଏ ଦେଖିଲି । ଆଉ ଅଳ୍ପ ସମୟ ପାଣି ନ ପାଇଥିଲେ ମୁଁ ପଡ଼ିଯାଇଥାନ୍ତି ।

 

୧ମ–ତୁମ୍ଭର ବୟସ କମ୍‍ । ଜୀବନରେ ବେଶୀ ବିପଦରେ ପଡ଼ିନାହଁ । ଲୋକ ବିପଦରେ ପଡ଼ିଲେ ଶିଖେ ଏବଂ ଭବିଷ୍ୟତ ପାଇଁ ସାବଧାନ ହୁଏ । ହେଉ, ତୁମ୍ଭେ ତ ବିପଦରେ ପଡ଼ିଲ, କଅଣ ଶିଖିଲ ? ମନେରଖ, ଖରାବେଳେ ଅଜଣା ବାଟରେ ଯିବା ଉଚିତ ନୁହେଁ । ଯଦି ଯିବ, ପାଣି ନେଇଯିବ । ତୁମ୍ଭଙ୍କୁ ବିପଦଟି ଯେତେ ବାଧିଲା, ସେଥିରୁ ମିଳିଥିବା ଉପଦେଶର ମୂଲ୍ୟ ସେତେ ବଢ଼ିଲା । ଏଥିପାଇଁ ବିପଦକୁ ପରମବନ୍ଧୁ କହନ୍ତି ।

 

୨ୟ–ପ୍ରକୃତ କଥା, ଏହି ବିପଦ ମୋତେ ଗୋଟିଏ ବଡ଼ ଶିକ୍ଷା ଦେଲା । ଏହା ମୁଁ ଭଲରୂପେ ଅନୁଭବ କରୁଛି ସତ, ମାତ୍ର ବିପଦକୁ ବନ୍ଧୁ ବୋଲି ସ୍ଵୀକାର କରିପାରୁନାହିଁ । କାରଣ କେହି ବିପଦକୁ ଖୋଜେ ନାହିଁ, ସମସ୍ତେ ସମ୍ପଦକୁ ଖୋଜନ୍ତି; ସମ୍ପଦକୁ ବନ୍ଧୁ ବୋଲି କହନ୍ତି । ପୁଣି ବିପଦ ଯେତେବେଳେ ମୋତେ ବନ୍ଧୁପରି ଉପଦଶେ ଦେଉଛି, ମୁଁ ତାକୁ ବନ୍ଧୁ ନ କହି ରହିପାରୁ ନାହିଁ-। ଆପଣ ମୋତେ ବଡ଼ ଅଡ଼ୁଆରେ ପକାଇଦେଲେ ।

 

୧ମ–ହଁ, ତାହା ହେବାର କଥା । ସଂସାରର ଗତି ବଡ଼ ବିଚିତ୍ର । ତାକୁ ଠଉରାଇବା ସହଜ ନୁହେଁ । କେତେକ ସ୍ଥଳରେ ଯାହା ଆଖିକୁ ଦେଖାଯାଏ, କିଛି ସମୟ ପରେ ତାହା ବିପରୀତ ହୋଇଯାଏ । ଏହା ବୁଝିବା ପାଇଁ ବୁଦ୍ଧି ଲୋଡ଼ା । ବନ୍ଧୁ କିଏ ? ଯେ ଦୁଃଖ ନ ଦିଏ ଏବଂ ସୁଖ ଦିଏ-। ଟିକିଏ ଚିନ୍ତା କରି ଦେଖ । କେତେକ ବନ୍ଧୁ ଅଛନ୍ତି ସେମାନେ ପ୍ରଥମେ ଦୁଃଖ ଦିଅନ୍ତି ପରେ ସୁଖ ଦିଅନ୍ତି-। ଆଉ କେତେକ ବନ୍ଧୁ ଅଛନ୍ତି, ସେମାନେ ପ୍ରଥମେ ସୁଖ ଦିଅନ୍ତି ପରେ ଦୁଃଖ ଦିଅନ୍ତି । ତାହାହେଲେ କାହାକୁ ପ୍ରକୃତ ବନ୍ଧୁ କହିବା ?

 

ଉଦାହରଣ ସ୍ୱରୂପ ବାପ-ମା ଓ ଶିକ୍ଷକଙ୍କୁ ଧରାଯାଉ । ସେମାନେ ମନ୍ଦ କାର୍ଯ୍ୟରୁ ଦୂରରେ ରହିବା ପାଇଁ ଦଣ୍ଡ ଦିଅନ୍ତି । ଦଣ୍ଡ ଦେବାବେଳେ ସେମାନଙ୍କୁ ବନ୍ଧୁ ବୋଲି ସ୍ଵୀକାର କରିବା ବଡ଼ କଷ୍ଟକର । ଭଲରୂପେ ବିଚାର କଲେ ସିନା ଜାଣି ପାରିବ । ବାପ-ମା ପ୍ରଭୃତିଙ୍କ ଠାରୁ ପ୍ରାପ୍ତ ଦଣ୍ଡର ଯନ୍ତ୍ରଣା କଷ୍ଟ ଦାୟକ ହେଲେ ସୁଦ୍ଧା ପରିଣାମ ସୁଖ ଦାୟକ । ଚୋରି କରିବାରୁ ବାପ ମା ଦଣ୍ଡ ଦେଲେ ଫଳରେ ଆଉ ଚୋରି କରିବ ନାହିଁ । ଏହି ଦଣ୍ଡ ନ ପାଇଥିଲେ ଦିନେ ବଡ଼ଚୋର ହୋଇଥାନ୍ତ । ଶେଷରେ ଭୟଙ୍କର ଦଣ୍ଡ ଭୋଗିଥାନ୍ତ । ତାହାହେଲେ ଆମେ ଉକ୍ତ ଦଣ୍ଡକୁ ଶତ୍ରୁ ନ କହି ମିତ୍ର କହିବା ଉଚିତ ।

 

ବାପା ମା’ଙ୍କ ପରି ଈଶ୍ଵର ଆମ୍ଭମାନଙ୍କୁ ବିପଦ ଦେଇ ଶାନ୍ତ କରନ୍ତି । ବିପଦ ପଡ଼ିଲେ ଲୋକ ବିପଦରୁ ଉଦ୍ଧାର ପାଇଁ ଚିନ୍ତା କରେ ଏବଂ କାମ କରି ବିପଦରୁ ରକ୍ଷା ପାଏ । ବିପଦ ଆମର ଚିନ୍ତାଶକ୍ତି ବଢ଼ାଇଲା ଏବଂ ଭବିଷ୍ୟତକୁ ସତର୍କ କରାଇଲା । ଏଣୁ ବିପଦକୁ ଶତ୍ରୁ ମନେ ନ କରି ମିତ୍ର ମନେ କରିବା ଭଲ । ଆଉ ଗୋଟିଏ କଥା, ଯେଉଁ ଲୋକ ସଂସାରରେ ଯେତେ ବିପଦ ସହିପାରିବ ସେ ତେତେ ସୁଖ ଶାନ୍ତି ପାଇପାରିବ । ଏ ବିଷୟରେ ଗଭୀର ଚିନ୍ତା କର, ବୁଝି ପାରିବ-

 

୨ୟ–ଗଭୀରଚିନ୍ତା କାହାକୁ କହନ୍ତି, ମୁଁ ବୁଝିପାରୁନାହିଁ; ଅନୁଗ୍ରହ କରି କହନ୍ତୁ ।

 

୧ମ–ମନ ଭିତରେ କୌଣସି କଥା ଭାବିବାକୁ ତ ଚିନ୍ତା କହନ୍ତି ? ଏହି ଚିନ୍ତା ନାନାପ୍ରକାର ହୋଇପାରେ, ସତ୍‍ ଦିଗରେ ବା ଅସତ୍‍ ଦିଗରେ । ମୋଟକଥା, ଯେ କୌଣସି କାମ କରିବା ପୂର୍ବରୁ ଚିନ୍ତା କରାଯାଏ । ପୁଣି କାମ କରିବା ସଙ୍ଗେ ସଙ୍ଗେ ସେହି କାମର ଚିନ୍ତା, ମନ ଭିତରେ ଚାଲିଥାଏ । ଏହାକୁ ଗଭୀର ଚିନ୍ତା କହନ୍ତି ।

 

ଉଦାହରଣ ସ୍ଵରୂପ ଭାତ ବାନ୍ଧିବା କାମ ନିଅ । ପ୍ରଥମେ ଭାତ ରାନ୍ଧିବାକୁ ଭାବିଲ, ତାହାପରେ କିପରି ରାନ୍ଧିବ ଏବଂ ରାନ୍ଧିବା ଉପକରଣଗୁଡ଼ିକ କିପରି ସଂଗ୍ରହ କରିବ ଚିନ୍ତା କଲ । ତାହା ପରେ ସଂଗ୍ରହ କରିବା କାମରେ ଲାଗିଲ । ସଂଗ୍ରହ କରିବାବଳେ ରାନ୍ଧିବା ବିଷୟ ଚିନ୍ତା କଲ-। ରାନ୍ଧିବା ଆରମ୍ଭ କରିବାବେଳେ ମଧ୍ୟ ସେହି ଚିନ୍ତା ଚାଲିଛି । ରନ୍ଧା ସରିବ, ଚିନ୍ତା ସରିବ-। ଏହିପରି ଆଗେ ଚିନ୍ତା, ପରେ କାମ, କାମ ଭିତରେ ବି ଚିନ୍ତା । କାମ ସହିତ ଚିନ୍ତା ଓତପ୍ରୋତ ଭାବରେ ରହିଛି ।

 

ମନର କାମ ହେଲା ଚିନ୍ତା କରିବା । ମନ ଚିନ୍ତାଶୂନ୍ୟ ଅବସ୍ଥାରେ ରହିପାରେ ନାହିଁ । କିନ୍ତୁ ମନର ଗୋଟିଏ କୁଅଭ୍ୟାସ ଅଛି, ସେ ଗୋଟିଏ ବିଷୟରେ ବେଶୀ ସମୟ ଅଖଣ୍ଡିତ ଭାବରେ ଚିନ୍ତା କରିପାରେ ନାହିଁ । ଗୋଟିଏ ବିଷୟର ଚିନ୍ତା କରୁ କରୁ ଅନ୍ୟ ବିଷୟର ଚିନ୍ତା କରିପକାଏ । ସେଥିପାଇଁ ଗୋଟିଏ କାମ ଭଲରୂପେ କରିପାରେ ନାହିଁ । ଭାତ ରାନ୍ଧୁଁ ରାନ୍ଧୁଁ ଗପ କରି ଭାତ ପୋଡ଼ିଦିଏ । ମନର ଏହି କୁଅଭ୍ୟାସକୁ ଦୂର କରିବା ପାଇଁ ବାରମ୍ବାର ଚେଷ୍ଟା କରିବାକୁ ହେବ ।

 

ପ୍ରତି ମିନିଟରେ ମନ ଗୋଟିଏ ନୂଆ ବିଷୟରେ ଚିନ୍ତା କରିବାକୁ ଭଲପାଏ । ଯାହାର ମନ ଘଣ୍ଟା ଘଣ୍ଟା, ଦିନ ଦିନ ଧରି କେବଳ ଗୋଟିଏ ବିଷୟରେ ଚିନ୍ତା କରିବା ଅଭ୍ୟାସ କରିନିଏ; ସେ ଯେଉଁ କାମରେ ହାତ ଦେବ ସେହି କାମ ଭଲ ଭାବରେ ନିଶ୍ଚୟ କରିପାରିବ । କାମ ଶେଷ ନ କରିବା ଯାଏ, ସେ କେବଳ ସେହି କାମଟିର ଚିନ୍ତା କରୁଥାଏ । ଏହିପରି ଚିନ୍ତାକୁ ଗଭୀରଚିନ୍ତା କହନ୍ତି । ଗୋଟିଏ ବିଷୟରେ ଗଭୀର ଚିନ୍ତା କରୁଥିବା ବେଳେ ଅନ୍ୟ ଚିନ୍ତାଗୁଡ଼ିକ ବହୁତ ଦୂରକୁ ପଳାନ୍ତି ।

 

ଗଭୀରଚିନ୍ତାକୁ ସାଧାରଣ ଭାଷାରେ ଏକାଗ୍ରତା ଓ ଅଧ୍ୟବସାୟର ମିଶ୍ରଣ କୁହାଯାଇପାରେ । ପୁରାଣ ଯୁଗର ମୁନି ଋଷିମାନେ ଏହି ଗଭୀର ଚିନ୍ତାକୁ ଧ୍ୟାନ ବା ତପସ୍ୟା କହୁଥିଲେ । ମୁନି ଶବ୍ଦର ଅର୍ଥରୁ ମଧ୍ୟ ଏହା ପ୍ରମାଣିତ ହୁଏ । ମନନ ଶବ୍ଦର ଅର୍ଥ ହେଲା ଚିନ୍ତା । ଯାହାଙ୍କର ମନନ କରିବାର କ୍ଷମତା ବେଶୀ ଥିଲା ତାଙ୍କୁ ମୁନି କୁହାଯାଉଥିଲା । ମୁନିମାନେ ଗୋଟିଏ ବିଷୟରେ ଗଭୀରଚିନ୍ତା କରୁଥିବାବେଳେ ନିକଟବର୍ତ୍ତୀ ବିକଟାଳ ଶବ୍ଦକୁ ଶୁଣିପାରୁ ନ ଥିଲେ । ଐତିହାସିକ ଯୁଗରେ ବୁଦ୍ଧ, ମହମ୍ମଦ, ଶଙ୍କର, ଚୈତନ୍ୟ ଓ ରାମକୃଷ୍ଣ ପରମହଂସ ପ୍ରଭୃତି ମହାପୁରୁଷମାନେ ଏହି ଗଭୀରଚିନ୍ତା କରି ଈଶ୍ଵରଙ୍କ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନଗୁଡ଼ିକର ସମାଧାନ କରିପାରିଥିଲେ । ପୁଣି ଏହି ଗଭୀର ଚିନ୍ତାବଳରେ ବାଷ୍ପୀୟଶକଟ, ବ୍ୟୋମଯାନ, ନଳକୂପ ଓ ବିଭିନ୍ନ କଳକରାଖାନା ନିର୍ମିତ ହୋଇଅଛି ।

 

ବିଦ୍ୟାଳୟର ଛାତ୍ରମାନେ ଗଭୀର ଚିନ୍ତା ବଳରେ ଭଲ ପଢ଼ି ପାରନ୍ତି । ଶ୍ରେଣୀରେ ଶିକ୍ଷକ ବୁଝାଇବା ବେଳେ ଯେଉଁ ଛାତ୍ର ଗଭୀରଚିନ୍ତାର ସହିତ ଶୁଣେ, ସେ ଭଲ ବୁଝିଯାଏ । ଯେଉଁ ଛାତ୍ରର ଚିନ୍ତାଧାରା ସେହି ସମୟ ମଧ୍ୟରେ ଏଣିକି ତେଣିକି ଯାଏ, ସେ ଭଲ ବୁଝିପାରେ ନାହିଁ କି ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରେ ନାହିଁ । ଛାତ୍ରମାନଙ୍କ ଜ୍ଞାନରେ ତାରତମ୍ୟ ଥିବାର ଅନେକ କାରଣ ମଧ୍ୟରୁ ଏହା ହେଉଛି ପ୍ରଥମ ।

 

ଗଭୀର ଚିନ୍ତାଯୁକ୍ତ ମାନବ ସଂସାରର ପ୍ରତ୍ୟେକ କ୍ଷେତ୍ରରେ ଜୟଲାଭ କରେ । ଗଭୀର ଚିନ୍ତାହୀନ ମାନବ ନିଜ ପେଟ ପୋଷିବାରେ ମଧ୍ୟ ଅକ୍ଷମ ହୋଇଥାଏ । ସେ ଅଧିକାଂଶବେଳେ ପର କଥାରେ ଅନ୍ଧବିଶ୍ଵାସ କରିନିଏ ଏବଂ କ୍ଷତିଗ୍ରସ୍ତ ହୁଏ । ଶେଷ କଥା, ଯେ ଯେତେ ଚିନ୍ତାଶୀଳ ସେ ସେତେ ବଡ଼ ମନୁଷ୍ୟ ।

 

ଆମେ ନିତି ଶତ ଶତ ଫୁଲ ଦେଖୁଛନ୍ତି, ହାତରେ ଧରୁଛନ୍ତି; କିନ୍ତୁ ଫୁଲ ବିଷୟରେ କେହି ଗଭୀର ଚିନ୍ତା କରୁଛନ୍ତି–କି ? ଯଦି ଫୁଲ ବିଷୟରେ ଗଭୀର ଚିନ୍ତା କରିବା ତେବେ ଅନେକ ପ୍ରଶ୍ନ ଗୋଟିକ ପରେ ଗୋଟିଏ ଆମ ଆଗକୁ ଆସିବ । ଯଥା–ଫୁଲ ପୁଟିବା ପୂର୍ବରୁ କେଉଁଠାରେ ଥିଲା, ଏତେ ବଡ଼ ଫୁଲ ଛୋଟ କଢ଼ ଭିତରେ କିପରି ଥିଲା, ଫୁଲ କାହିଁକି ସ୍ଥାୟୀ ହେଉନାହିଁ, ଫୁଲ ଭିତରେ ମଞ୍ଜି କିପରି ଅବସ୍ଥାରେ ଅଛି ଏବଂ ପରେ ଏହି ମଞ୍ଜି କଅଣ କରିପାରିବ ଇତ୍ୟାଦି । ଏହା ଫୁଲର ଗଭୀର ଚିନ୍ତା ।

 

୨ୟ–ଗଭୀରଚିନ୍ତା କରିବା ସହଜ ନୁହେଁ, ଜଣାପଡ଼ୁଛି । ମନ ସର୍ବଦା ଚଞ୍ଚଳ । ମନକୁ ଗୋଟିଏ ଚିନ୍ତାରେ ବେଶୀ ସମୟ କିପରି ରଖିହେବ, ମୁଁ ବୁଝିପାରୁନାହିଁ ।

 

୧ମ–ହଁ, ତାହା ଠିକ୍‍ କଥା । ତଥାପି ନିଜର ବିଚାରଶକ୍ତିଦ୍ୱାରା ମନକୁ ଗୋଟିଏ ବିଷୟରେ ଅଧିକ ସମୟ ରଖିହେବ । ପୁଣି ବାରମ୍ବାର ଅଭ୍ୟାସ କରିବାକୁ ପଡ଼ିବ । ପୃଥିବୀ ପ୍ରସିଦ୍ଧ ଭଗବଦ୍‍ ଗୀତାରେ ମଧ୍ୟ ଏହା ଲେଖାଅଛି–

 

ଅସଂଶୟଂ ମହାବାହୋ ମନୋ ଦୁର୍ନିଗ୍ରହଂ ତଳମ୍‍,

ଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟେଣ ଚ ଗୃହ୍ୟତେ ।

 

(୬ଅ: ୩୫ ଶ୍ଳୋକ)

 

ଅର୍ଥାତ୍‍ “ଗୋଟିଏ କାର୍ଯ୍ୟରେ ମନ ସ୍ଥାୟୀ ନ ହେଲେ କାର୍ଯ୍ୟଟି ଫଳପ୍ରଦ ହୁଏ ନାହିଁ । ମନ ଯେ ଚଞ୍ଚଳ, ଏଥିରେ ତିଳେ ସନ୍ଦେହ ନାହିଁ । ମନକୁ ସହଜରେ ଆୟତ୍ତ କରାଯାଇ ପାରିବ ନାହିଁ । ତଥାପି କୌଣସି କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ କଲେ ଏବଂ ତାହା ବିପରୀତ କାର୍ଯ୍ୟକୁ ବାରମ୍ବାର ଘୃଣାକଲେ ମନ ବାଧ୍ୟହୋଇ ସେହି କାର୍ଯ୍ୟରେ ସ୍ଥାୟୀ ହୋଇ ରହିବ ।” ଏହା ହିଁ ମନ-ଆୟତ୍ତର ବା କାର୍ଯ୍ୟ-ସାଧନାର ପ୍ରଣାଳୀ ।

 

ଆଜି ଗୋଟିଏ ବିଷୟରେ ମନ ପାଞ୍ଚ ମିନିଟ୍‍ ରହିବା ପରେ ଅନ୍ୟ ଆଡ଼କୁ ଚାଲିଯାଇଛି-। କାଲି ଦଶ ମିନିଟ୍‍ ଗୋଟିଏ କାର୍ଯ୍ୟରେ ମନ ରଖିବାକୁ ଅଭ୍ୟାସ କର । ତତ୍‍ପରଦିନ ପନ୍ଦର ମିନିଟ୍‍ । ଏହିପରି କ୍ରମଶଃ ଅଧିକ ଶକ୍ତି ଅର୍ଜନ କରି ହେବ ।

 

ଲୋଭ ମନୁଷ୍ୟକୁ କାମରେ ଲଗାଏ । ଲୋଭର ଅନ୍ୟନାମ “ଭଲ ପାଇବା” କହିଲେ ଚଳେ । ଗୋଟିଏ କାମକୁ ବେଶୀ ଭଲ ପାଅ । ତାହାପରେ ଦେଖିବ, ସେହି କାମ କରିବାକୁ ମନ ଧାଇଁବ । ଧରି ନିଅ, ମନ ସୂତାକାଟା ଶିଖିବାକୁ ସ୍ଥିର କଲା । ପୁଣି ଦେଖ, ସୂତାକଟାର ଚିନ୍ତା କାହିଁକି ମନରେ ସ୍ଥାନ ପାଇଲା ? କେହି ସୂତା କାଟୁଥିବାର ଦେଖି ଅବା କେହି ସୂତା କାଟି ଲୁଗା ପିନ୍ଧୁଥିବାର ଦେଖି ମନ ସେହି ଆଡ଼କୁ ଗଲା । ମନ ପ୍ରଥମେ ବୁଝିଲା, ସୂତାକଟା ଗୋଟିଏ ଭଲ କାମ । ପରେ ଚିନ୍ତା କଲା, ମୁଁ ସେହି ଭଲ କାମଟିକୁ କରିବି । ଏହା ହେଲା ଲୋଭ ବା ଭଲ ପାଇବା ବା ଶ୍ରଦ୍ଧା ।

 

ଏହି ଲୋଭଟି ପୂର୍ଣ୍ଣରୂପେ ହେବା ଆବଶ୍ୟକା । ଲୋଭର ପରିମାଣ ଯେତେ ଅଧିକ ହେବ, ସେହି କାମରେ ମନ ତେତେ ଅଧିକ ସମୟ ସ୍ଥିର ରହିବ । ଲୋଭର ପରିମାଣ ବୃଦ୍ଧି କରିବା ପାଇଁ ସୂତାକଟାର ଉପକାରିତା ବିଷୟ ବେଶୀ ଆଲୋଚନା କରିବା ଉଚିତ । ସୂତାକଟାର ଉପକାରିତା ବିଷୟରେ ଅନ୍ୟଠାରୁ ଶୁଣ ଏବଂ ନିଜର ବିଚାରଶକ୍ତି ଦ୍ଵାରା ବାରମ୍ବାର ବିଚାର କର । ସୂତାକଟା ଦ୍ଵାରା ମୋର ଅନେକ ଉପକାର ନିଶ୍ଚୟ ହେବ । ନିଜର ମନ ବହୁ ଯୁକ୍ତି ଦ୍ଵାରା ଏହା ସ୍ଥିର କରିନେଲେ ସୂତାକଟା ପ୍ରତି ଅଧିକ ଲୋଭ ଆସିବ । ତାହାପରେ ସୂତାକଟା ଶିଖିବାକୁ ଜିଦ୍‍ ଆସିବ-

 

ସୂତାକଟା ଶିଖିବା ସହଜରେ ହେଉନାହିଁ, ବହୁତ ଛିଣ୍ଡୁଛି । ସେତେବେଳେ ଉକ୍ତ ଜିଦ୍‍ କାମ କରିବ । ଅନ୍ୟକୁ ପଚାରିବା ଅନ୍ୟର ଦେଖି ଭଲ କରିବାକୁ ମନ ଲାଗିପଡ଼ିବ । ଜିଦଖୋର୍‍ ହୋଇ ଲାଗିବା ହେଲା ଗଭୀର ଚିନ୍ତାର ଏକ ରୂପ । ସୂତାକଟାପରି ସତ କହିବା, ସହିଷ୍ଣୁତା, ନମ୍ରତା ପ୍ରଭୃତି ଗୁଣଗୁଡ଼ିକ ମଧ୍ୟ ଅର୍ଜନ କରାଯାଇ ପାରିବ । କୌଣସି ଗୋଟିଏ ନୀତିବାକ୍ୟ ବା ଉପଦେଶ ପଢ଼ିଲ ବା ଶୁଣିଲ । ତାକୁ ଭଲକରି ବୁଝ, ବାରମ୍ବାର ସନ୍ଦେହ ଚକ୍ଷୁରେ ଆଲୋଚନା କର; ଶେଷରେ ସନ୍ଦେହ ଦୂର କର ଅର୍ଥାତ୍‍ ଏହି ଉପଦେଶ ନିଶ୍ଚୟ ମୋର ଉପକାର କରିବ, ଏହା ସ୍ଥିର କର । ପୂର୍ଣ୍ଣରୂପେ ଭଲ ପାଅ, ତାହାହେଲେ କାମରେ ତାକୁ ଲଗାଇବାକୁ ଜିଦ୍‍ ଆସିବ ।

 

ଲୋକ କୌଣସି କାର୍ଯ୍ୟକୁ ଅଳ୍ପ ଚିନ୍ତା କରି ଧରିନିଏ । ତେଣୁ ଟିକିଏ କଷ୍ଟ ପଡ଼ିଲେ ସେଥିରୁ ମନ ଛାଡ଼ିଯାଏ । କାର୍ଯ୍ୟ କରିବା ପୂର୍ବରୁ ତାହାର ଉପକାରିତା ଓ ଅପକାରିତା ବିଷୟ ଅନ୍ତତଃ ଦଶଥର ଚିନ୍ତା କର, ତାହାପରେ କାମ ଆରମ୍ଭ କର । ହଠାତ୍ କାମ ଆରମ୍ଭ କର ନାହିଁ । ଖଣ୍ଡିଏ ଗଣିତ ପ୍ରଶ୍ନ ପାଇଲ । ତାକୁ ଭଲରୂପେ ଚିନ୍ତା କର, ବାରମ୍ବାର ଚିନ୍ତା କର; ତାହାପରେ କଷିବାକୁ ଆରମ୍ଭ କର । ବାରମ୍ବାର ଚିନ୍ତା ନ କଲେ ପ୍ରଶ୍ନ ବୁଝି ହେବ ନାହିଁ । ଆଦୌ ଚିନ୍ତା ନ କରି କଷି ବସିଲେ ଉତ୍ତର ଭୁଲ୍‍ ହୋଇଯିବ ।

 

୨ୟ–ମନୁଷ୍ୟ ସିନା ଏହିପରି ଚେଷ୍ଟା କରି କାମ କରିବ, କିନ୍ତୁ ଯାହା ଭାଗ୍ୟରେ ଯାହା ଥିବ; ତାହା ହେବ । ଯେତେ ଚେଷ୍ଟା କଲେ କଅଣ ଭାଗ୍ୟ ବଦଳିବ ?

 

୧ମ–ଭାଗ୍ୟ ଶବ୍ଦ ଏକ ବିପଦ ଶବ୍ଦ । ଏହାକୁ ଅନୁସରଣ କରି ଲୋକ ତଳକୁ ଖସେ । ଅନେକ ଲୋକ ଭାଗ୍ୟବାଦୀ ହୋଇ ଅଳସ ଓ କର୍ମହୀନ ହୋଇ ପଡ଼ନ୍ତି । କେତେକ ଲୋକ ଆମୋଦ ପ୍ରମୋଦ ବେଳେ ଭାଗ୍ୟର ପକ୍ଷପାତୀ ହୋଇ ଯୁକ୍ତି କରିଥାନ୍ତି ଅଥଚ କାମ କରିବାବେଳେ ଭାଗ୍ୟକୁ ପାସୋରି କାମ କରିଯାନ୍ତି ।

 

କେତେକ ଲୋକ ପ୍ରତିଦିନ ଯେତେ ବିପଦ ମିଳେ ସେସବୁ ଭାଗ୍ୟରେ ଥିଲା ବୋଲି କହନ୍ତି, କିନ୍ତୁ ଯେତେ ସମ୍ପଦ ମିଳେ ସେସବୁ ନିଜେ ଅର୍ଜନ କରିଥିବାରୁ ମିଳିଲା ବୋଲି କହନ୍ତି । ଆଉ କେତେକ ଲୋକ ସବୁ ଘଟନାକୁ ଭାଗ୍ୟ ଉପରେ ଛାଡ଼ି ଦିଅନ୍ତି । ଏପରିକି ଉପବାସ ରହିଲେ, ପାଦରେ କଣ୍ଟା ପଶିଲେ ମଧ୍ୟ ସେମାନେ ଭାଗ୍ୟରେ ଥିଲା ବୋଲି କହି ଦିଅନ୍ତି । ଫଳରେ ଖାଦ୍ୟ ସଂଗ୍ରହ କଲେ ଉପବାସ କଷ୍ଟ ଦୂର ହେବ ଏବଂ ସାବଧାନ ହୋଇ ବାଟ ଚାଲିଲେ ପାଦରେ କଣ୍ଟା ପଶିବ ନାହିଁ । ଏହା ଭୁଲିଯାଇ ସେମାନେ ଉଦ୍ୟମହୀନ ହୋଇପଡ଼ନ୍ତି । ଆଚ୍ଛା, ଭାଗ୍ୟ ବିଷୟ ଆଲୋଚନା କରିବା ପୂର୍ବରୁ ପୁଣି ଗଭୀର ଚିନ୍ତାର ଆଶ୍ରୟ ନେବା ।

 

ଗୋଟିଏ ଔଷଧ ଅନେକ ରୋଗକୁ ଭଲ କରିପାରେ । ଲୋକେ ଏ ଜାତୀୟ ଔଷଧକୁ ବେଶୀ ଆଦର କରି ପାଖରେ ରଖନ୍ତି । ଗଭୀର ଚିନ୍ତା ସେହିପରି ଏକ ଔଷଧ, ଯାହା ଅନେକ ପ୍ରକାର ଅଜ୍ଞାନତା ଦୂର କରେ । ଶୁଣିବା କଥାରେ ଭାସିଗଲେ ପ୍ରକୃତ ଜ୍ଞାନ ମିଳେ ନାହିଁ । ଲୋକ ଅନ୍ଧବିଶ୍ଵାସୀ ପାଲଟି ଯାଏ । ପୁଣି ତାହାର ବିଶ୍ଵାସ କ୍ଷଣ କ୍ଷଣକେ ବଦଳେ । ଗଭୀର ଚିନ୍ତା ଦ୍ଵାରା ଯେଉଁ ବିଶ୍ଵାସ ସ୍ଥିର ହେବ, ତାହା ସହଜେ ବଦଳିବ ନାହିଁ; ଦୃଢ଼ ହେବ ।

 

ଭାଗ୍ୟ ଶବ୍ଦର ଅର୍ଥ ପୂର୍ବଜନ୍ମର ଫଳ । ପୂର୍ବଜନ୍ମରେ ଆମେ ଯେଉଁ କର୍ମ କରିଥାନ୍ତି, ତାହା ଭାଗ୍ୟରୂପେ ଏ ଜନ୍ମରେ ଫଳ ଦିଏ । ଏହାତ ଭାଗ୍ୟବାଦୀଙ୍କ ବିଶ୍ଵାସ । ଚିନ୍ତା କରି ଦେଖ; ପୂର୍ବଜନ୍ମର ଫଳ ଯଦି ଭାଗ୍ୟ ନାମ ଧରି ପାରିଲା ତେବେ ପୂର୍ବ ଦିନର କର୍ମଫଳ କାହିଁକି ଭାଗ୍ୟ ନ ହେବ ? ନିଶ୍ଚୟ ହେବ । ଅତଏବ ପୂର୍ବରୁ କରିଥିବା କର୍ମର ଫଳକୁ ଭାଗ୍ୟ ବୋଲି କୁହାଯିବ । ତାହାହେଲେ ଏବେ ଆସ, ବିଚାର କରିବା ।

 

ଧର, ମୁଁ ଜଣେ ଶ୍ରମିକ । ଗତକାଲି ମୁଁ ଯେତିକି କାମ କରିଥିଲି, ଆଜି ମୋର ମୁନିବ ସେତିକି ମଜୁରୀ ବା ମୂଲ୍ୟ ଦେଲେ । ଆଜି ପୁଣି ଯେତିକି କାମ କରିବି, ଆସନ୍ତାକାଲି ସେତିକି ମଜୁରୀ ଦେବେ । ଆଜି ପାଇବା ମଜୁରୀ ସହିତ ଆସନ୍ତାକାଲି ପାଇବା ମଜୁରୀ ସମାନ ହୋଇ ନ ପାରେ । ଯଦି ଆଜି ବେଶୀ କାମ କରିବି, କାଲି ବେଶୀ ମଜୁରୀ ପାଇବି । ଯଦି କମ୍‍ କରିବି, କମ୍‍ ପାଇବି । ସେହିପରି ଗତକାଲି ଯଦି କାମର କ୍ଷତି କରିଛି, ଆଜି ମୁନିବ ଜୋରିମାନା ନେବେ କିମ୍ବା କାମରୁ ବାହାର କରିଦେବେ । ଆଜି ଯଦି ମୁଁ କ୍ଷମା ପ୍ରାର୍ଥନା କରେ ଏବଂ ମନଦେଇ କାମ କରି ଦୁଇ ଗୁଣ ଲାଭ ଦେଖାଇ ଦିଏ, ମୁନିବ ଖୁସି ହେବେ ଏବଂ ଜୋରିମାନା ନେବା ବଦଳରେ ପୁରସ୍କାର ଦେବେ ।

 

ଏଥିରୁ ଜଣାଗଲା ଯେ, ଆଜି କରିବା କାମ ନିଶ୍ଚୟ ଫଳ ଦେବ । ଆଉ ଗୋଟିଏ ଉଦାହରଣ ନିଆଯାଉ । ପୂର୍ବଜନ୍ମର ଫଳ ତ ଏହି ଜନ୍ମକୁ ଭାଗ୍ୟ ପାଲଟୁଛି । ପୂର୍ବଜନ୍ମର ଫଳକୁ ଶତ ମୁଦ୍ରା ଧର । ସେହି ମୂଳଧନକୁ ନେଇ ଏ ଜନ୍ମରେ ବାଣିଜ୍ୟ କରିବା । ଉଦଯୋଗୀ ପୁରୁଷ ଏ ଜନ୍ମରେ ତାକୁ ବୃଦ୍ଧି କରି ଲକ୍ଷ ଲକ୍ଷ ମୁଦ୍ରା କରିବ । ଭାଗ୍ୟବାଦୀ ଅଳସୁଆ ହୋଇ ଲାଭ କରିବା ଦୂରେ ଥାଉ ମୂଳ ହରାଇ ବସିବ । ତେଣୁ ଏ ଜନ୍ମକୃତ କର୍ମଫଳର ବଳ ବେଶୀ ହେଲା । ପୂର୍ବ ଜନ୍ମକୃତ କର୍ମଫଳର ବଳ କମ୍‍ ହେଲା । ସବଳ ଲୋକ ଦୁର୍ବଳ ଲୋକର ବାଧାକୁ ଅପେକ୍ଷା ନ କରି ନିଜ କାମ କରିଯାଏ । ଅତଏବ ପୂର୍ବଜନ୍ମର ଫଳ ବା ଭାଗ୍ୟକୁ ଏ ଜନ୍ମର କର୍ମ ବଳରେ ବଦଳାଇ ଦେଇହେବ ।

 

ଏପରି ସ୍ଥଳେ ଯେଉଁ ଲୋକ ଭାଗ୍ୟକୁ ଅପେକ୍ଷା କରି ବସେ ଏବଂ କର୍ମକ୍ଷେତ୍ରରେ ଉତ୍ସାହ ଧରି ଆଗୁଆ ନ ହୁଏ, ସେ ଉନ୍ନତି ଲାଭ କରିପାରେ ନାହିଁ । ଭାତରର ଆଦିକବି ବାଲ୍ମୀକି ଋଷି ଭାଗ୍ୟ ପ୍ରତି ଅତି ଘୃଣା ଦୃଷ୍ଟି ନିକ୍ଷେପ କରିଛନ୍ତି । ତାଙ୍କ ପରେ ସାଧୁ ମହାପୁରୁଷମାନେ ମଧ୍ୟ ଭାଗ୍ୟକୁ ନିନ୍ଦା କରିଛନ୍ତି । ଯଦି ଭାଗ୍ୟ ଉପରେ ବିଶ୍ଵାସ ଦୃଢ଼ ଥାନ୍ତା, ତେବେ ପୁରାଣ ଶାସ୍ତ୍ର ଠାରୁ ଆରମ୍ଭ କରି ଆଧୁନିକ କାବ୍ୟ କବିତାରେ ଅଣ୍ଟା ଭିଡ଼ି କାମ କରିବାକୁ ପ୍ରେରଣା ଦିଆଯାଇ ନ ଥାନ୍ତା-

 

୨ୟ–ଭାଗ୍ୟ କଥା ବୁଝିଲି । ଗୋଟିଏ କାମରେ ବେଶୀ ସମୟ ମନ ଦେବା ବିଷୟ ବୁଝିବାରେ ଆହୁରି ବାକି ଅଛି । ସେଥିରେ ଆଉ କି କି ବାଧା ଜନ୍ମିପାରେ ଅନୁଗ୍ରହ କରି କହନ୍ତୁ ।

 

୧ମ–ଭଲ ପଚାରିଛ । ବାସ୍ତବିକ ଗୋଟିଏ ବିଷୟ ନେଇ ବେଶୀ ସମୟ ଚିନ୍ତା କରିବା ବଡ଼ କଷ୍ଟ । ବହୁତ ଅଭ୍ୟାସ ଓ ସାବଧାନ ବଳରେ ଏହା ହୁଏ ଏବଂ କ୍ରମଶଃ ବୃଦ୍ଧିଯାଏ । ବହୁ ରୋଗ ନିବାରକ ଗଭୀର ଚିନ୍ତା ଔଷଧଟିକୁ ମନେ ପକାଅ । ପୁଣି ସୂତାକଟା କାମକୁ ଧର । ସୂତା କାଟୁଛ । ଜଣେ ଆସି ମଜାଗପ ଆରମ୍ଭ କଲା । ତୁମ୍ଭର କାନ ସେଆଡ଼କୁ ଯିବାରୁ ସୂତା ଛିଣ୍ଡିଲା । ପାଖରେ ଜଣେ ଲୋକ ଚାଲିଗଲା, କିଏ ଗଲା ବୋଲି ଅନାଇଁ ଦେବାରୁ ସୂତା ଛିଣ୍ଡିଲା । ଏଥିରୁ ଜଣାଗଲା, ଆଖିକାନ ସୂତା କଟାର ପ୍ରତିବନ୍ଧକ ହେଲା । ଅବଶ୍ୟ ଯେଉଁଲୋକ ପୂରା ଜିଦଖୋର୍‍ ସେ କାମ କଲାବେଳେ ତାକୁ ଅନ୍ୟ କିଛି ଦିଶିବ ନାହିଁ କି ଶୁଭିବ ନାହିଁ । କିନ୍ତୁ ଅଧା ଜିଦଖୋର୍‍ ପାଖରେ ଆଖିକାନ ପ୍ରଭୃତିର ବଳପରୀକ୍ଷା ।

 

ଆଖି, କାନ, ନାକ ଓ ଜିଭ ପ୍ରଭୃତି ଇନ୍ଦ୍ରିୟଗୁଡ଼ିକର ବଳ କମ୍‍ ନୁହେଁ । ସେଗୁଡ଼ିକ ମଧ୍ୟରୁ ଗୋଟିକୁ ହେଲେ ଯୁଦ୍ଧ କରି ହରାଇ ହେବ ନାହିଁ । କେବଳ କାକୁତି ମିନତି କରି ନିଜର ଦୁଃଖ ଜଣାଇ ଅଧୀନ କରି ହେବ । ଇନ୍ଦ୍ରିୟଗୁଡ଼ିକ ବୁଝିଗଲେ ବାଧା ନ ଦେଇ କାମରେ ସାହାଯ୍ୟ କରିବେ । ଛୋଟ ଶିଶୁ କାନ୍ଦୁଥିଲେ ତାକୁ ବୁଝାଇ କନ୍ଦିବା ବନ୍ଦ କରିବା ଯେପରି କଷ୍ଟକର, ନିଜର ଇନ୍ଦ୍ରିୟଗୁଡ଼ିକୁ ବୁଝାଇ ଅଧୀନ କରିବା ସେହିପରି କଷ୍ଟକର । ଶିଶୁ ଯେପରି କିଛି ସମୟ ପରେ ବୁଝେ; ନିଜଇନ୍ଦ୍ରିୟ ସେହିପରି କିଛି ସମୟ ପରେ ବୁଝେ । ଶିଶୁକୁ ବୁଝାଇବା ପାଇଁ କୌଶକ ଲୋଡ଼ା, ବଳରେ ହୁଏ ନାହିଁ । ଇନ୍ଦ୍ରିୟଗୁଡ଼ିକୁ ବୁଝାଇବା ପାଇଁ ସେହିପରି କୌଶଳ ଲୋଡ଼ା ।

 

ଇନ୍ଦ୍ରିୟ ସହିତ ମନର ଘନିଷ୍ଠ ସମ୍ପର୍କ ଅଛି । ମନକୁ ବୁଝିଇଲେ ଇନ୍ଦ୍ରିୟ ବୁଝିଯିବ । ଇନ୍ଦ୍ରିୟଗୁଡ଼ିକର ବିଚାରଶକ୍ତି ନ ଥାଏ । ସେଗୁଡ଼ିକ ଦୁଃଖକୁ ସୁଖପରି ମଣନ୍ତି । ତେଣୁ ବିଚାରଶକ୍ତି ପ୍ରୟୋଗ ନ କରି ପ୍ରାଣୀମାନେ ପରିଣାମ ଦୁଃଖ ଦାୟକ ସୁଖରେ ମାତିଥାନ୍ତି । ଭାଗବତର ଏକାଦଶସ୍କନ୍ଧରେ ଅଛି–

 

ଜୀବ ଅଜ୍ଞାନ ଭାବ ଦେଖ

ଦୁଃଖକୁ ମଣେ ମହାସୁଖ ।

 

ଇନ୍ଦ୍ରିୟଗୁଡ଼ିକ ସୈନ୍ୟ, ମନ ସେନାପତି, ବିଚାରଶକ୍ତି ବା ବିବେକ ରାଜା । ରାଜା ଦୁର୍ବଳ ଥିଲେ ସୈନ୍ୟ ଓ ସେନାପତିମାନେ କେତବେଳେ ମାନନ୍ତି ଓ କେତେବଳେ ମାନନ୍ତି ନାହିଁ । ଏଣୁ ଆମର ଯେ କୌଣସି କାମ କରିବାକୁ ଗଲେ ବା ଯେ କୌଣସି ଉପଦେଶ ଶୁଣିବାକୁ ଗଲେ, ପ୍ରଥମେ ବିଚାରଶକ୍ତିର ସାହାଯ୍ୟ ନେବା ଉଚିତ । ଯଦି ଆମେ ଏହି ବିଚାରଶକ୍ତିର ସାହାଯ୍ୟ ବାରମ୍ବାର ଲୋଡ଼ିବା, ସେ ସବୁବେଳେ ଆମ ପାଖରେ ଜାଗ୍ରତ ଅବସ୍ଥାରେ ରହିବ ଏବଂ ଆବଶ୍ୟକ ପଡ଼ିଲେ ଗୋଟିଏ କାମରେ ବହୁତ ସମୟ ଲାଗିବ ।

 

୨ୟ–ଏହି ବିଚାରଶକ୍ତି ସବୁ ମନୁଷ୍ୟଙ୍କଠାରେ ଓ ସବୁ ପ୍ରାଣୀଙ୍କଠାରେ ଊଣାଅଧିକେ ଥିବାର ଦେଖାଯାଏ । ସମସ୍ତେ କାମ କରିବା ପୂର୍ବରୁ ବିଚାରଶକ୍ତିର ଆଶ୍ରୟ ନେଇଥାନ୍ତି । ଚୋର ଚୋରି କରିବାକୁ ଯିବା ପୂର୍ବରୁ ବିଚାର କରେ, “ମୁଁ କିପରି ଚୋରି କରିବି, କେହି ଦେଖିବେ ନାହିଁ, ପୁଣି ଯଥେଷ୍ଟ ଲାଭବାନ ହେବି ।” ପିଲା ଦୋଷ କରି ଦୋଷକୁ ଢାଙ୍କିବା ପାଇଁ ବିଚାରଶକ୍ତି ଦ୍ଵାରା ନାନାପ୍ରକାର ମିଥ୍ୟା ପ୍ରମାଣ ଦିଏ । ପ୍ରାଣିଜଗତରେ ତ ସର୍ବଦା ଜୀବନ ସଂଗ୍ରାମ ଲାଗିଛି । ଖାଦକ ଖାଦ୍ୟକୁ ଖାଇବା ପାଇଁ ଏବଂ ଖାଦ୍ୟ ଖାଦକ ହାତରୁ ରକ୍ଷା ପାଇବା ପାଇଁ ବିଚାରଶକ୍ତିର ଆଶ୍ରୟ ନେଉଛି । ବିଚାରଶକ୍ତି ଏହିପରି ସମସ୍ତଙ୍କ ଠାରେ ସର୍ବଦା ରହିଛି ଏବଂ ଆବଶ୍ୟକ ବେଳେ କାମ କରୁଛି । ତା’ହେଲେ ବିଚାରଶକ୍ତିର ଲାଭ କାହିଁ ?

 

୧ମ–ମନକୁ ଚଞ୍ଚଳ କରିଗଲ । ତେଣୁ ବିଚାରଶକ୍ତିର ଆଲୋଚନା ଯାହା କରିଗଲ, ସେଥିରେ ଦୋଷ ରହିଗଲା । ଶରୀରର ବାହାରେ ଅଙ୍ଗପ୍ରତ୍ୟଙ୍ଗ ଗୁଡ଼ିଏ ଯେପରି ଅଛି ଭିତରେ ଗୁଣ ଗୁଡ଼ିଏ ସେପରି ଅଛି । ଏ ସମସ୍ତଙ୍କର କାମ ହେଉଛି ଶରୀରକୁ ରକ୍ଷା କରିବା ଓ ଶରୀରର ସମ୍ମାନ ବୃଦ୍ଧି କରିବା । ଧରିନିଅ, ମନୁଷ୍ୟର ହାତ । ସମସ୍ତଙ୍କର ହାତ ସମାନ ପରିମାଣରେ କାମ କରୁନାହିଁ, କମ୍‍ ବେଶୀ କରୁଛି । ଏହାର କାରଣ ଯାହାର ହାତ ଯେତେ ଅଭ୍ୟସ୍ତ ହୋଇଛି ସେ ତେତେ ଭଲ କାମ କରୁଛି । ଦଶଜଣ ପିଲା ଏକ ସଙ୍ଗରେ ଲେଖା ଆରମ୍ଭ କଲେ, ପାଞ୍ଚ ବର୍ଷ ପରେ ଉକ୍ତ ଦଶଜଣଙ୍କର ହାତ-ଅକ୍ଷର ସମାନ ହେବ ନାହିଁ । ଏଠାରେ ଅଭ୍ୟାସ ସମାନ ହେଲେ ସୁଦ୍ଧା ଯେଉଁ ପିଲାର ମନୋଯୋଗ ଓ ସାବଧାନତା ଯେତେ ଅଧିକ ତାହାର ଅକ୍ଷର ତେତେ ସୁନ୍ଦର ହେବ-

 

ଶରୀର ଭିତରେ ମନ, ବୁଦ୍ଧି ଓ ବିଚାରଶକ୍ତି ଅଛି । ବିଚାରଶକ୍ତି ଯଦିଚ ସମସ୍ତଙ୍କ ଦେହ ଭିତରେ ଅଛି, ସମାନ ପରିମାଣରେ କାମ କରୁନାହିଁ । ଗୋଟିଏ କାମ ଆରମ୍ଭ କରିବା ପୂର୍ବରୁ ସେହି କାମର ଉପକାରିତା ଓ ଅପକାରିତା ବିଚାର କରିବାକୁ ପଡ଼େ । ଉପକାରିତା ଅଳ୍ପ ଥାଇ ଅପକାରିତା ବେଶୀ ଥିଲେ ସେହି କାମ ଛାଡ଼ିବାକୁ ହୁଏ । ଏପରି ଅନେକ କାମ ଅଛି, ଯାହା ଆରମ୍ଭରେ ସୁଖଦିଏ, ମଝିରେ ସୁଖ ଦିଏ କିନ୍ତୁ ଶେଷରେ ଭୟଙ୍କର ଦୁଃଖ ଦିଏ । ଯେଉଁ ଲୋକ କାମ ଆରମ୍ଭ ପୂର୍ବରୁ ଏସବୁ ଚିନ୍ତଗା କରିବ, ସେ ଶେଷକୁ ଦୁଃଖ ଭୋଗ କରିବ ନାହିଁ ।

 

ଚୋର ଚୋରି କରିବା ପୂର୍ବରୁ ଯେଉଁ ଚିନ୍ତା କଲା, ତାକୁ ବିଚାରଶକ୍ତି କୁହାଯିବ ନାହିଁ; ତାକୁ ବୁଦ୍ଧି କୁହାଯିବ । ବୁଦ୍ଧି ଭଲ ଓ ମନ୍ଦ କିମ୍ବା ଆଗ ଓ ପଛ ଦୁଇଟିକୁ ଦେଖିବାରେ ବେଶୀ ଅଭ୍ୟସ୍ତ ନୁହେଁ । ବିବେକ ବୁଦ୍ଧିଠାରୁ ଅନେକ ଉନ୍ନତ । ବୁଦ୍ଧି ଅଳ୍ପ ଆଗକୁ ଦେଖେ, ବିବେକ ବହୁତ ଆଗକୁ ଦେଖେ । ଚୋର ଯେତିକି ଚିନ୍ତା କଲା, ତାହା କମ୍‍ ହେଲା । ସେ ଯଦି ଚିନ୍ତା କରିଥାନ୍ତା, “ଏହିପରି ବାରମ୍ବାର ଚୋରି କଲାପରେ କଅଣ ହେବ, ଶେଷରେ ମୁଁ ସୁଖ ପାଇବି କି ନାଁ ଇତ୍ୟାଦି”, ତେବେ ସେ ବିଚାରଶକ୍ତିର ପୂର୍ଣ୍ଣ ଆଶ୍ରୟ ପାଇଥାନ୍ତା । ଅବଶ୍ୟ ବିବେକ ଚୋରକୁ ଏତାଦୃଶ ଭବିଷ୍ୟଦ୍‍ବାଣୀ ଶୁଣାଇଥିବ, କିନ୍ତୁ ଚୋରର ବୁଦ୍ଧି ତାହା ଗ୍ରହଣ କଲା ନାହିଁ । ତେଣୁ ବିବେକ ନୀରବ ହୋଇଗଲା । ପ୍ରତ୍ୟେକ ପ୍ରାଣୀ ବୁଦ୍ଧିକୁ ଯେତେ ବ୍ୟବହାର କରନ୍ତି, ବିବେକକୁ ତାହାଠାରୁ ଅଳ୍ପ ବ୍ୟବହାର କରନ୍ତି ।

 

ମନ କୌଣସି ଅସତ୍‍ କାର୍ଯ୍ୟ କରିବାକୁ ସ୍ଥିର କଲାକ୍ଷଣି ବିବେକ ବାଧା ଦିଏ । ମନ ସେତେବେଳେ କାର୍ଯ୍ୟଟିର ଆପାତ ମଧୁରତା ବିଷୟ ଭାବୁଥାଏ । ମନ ଓ ବିବେକ ପରସ୍ପର ଯୁକ୍ତି କରନ୍ତି । ଯେଉଁ ମନ ଇନ୍ଦ୍ରିୟଗୁଡ଼ିକର ବଶବର୍ତ୍ତୀ ହୋଇ ଚଳି ଆସିଛି, ସେହି ମନ ବିବେକକୁ ଅତି ସହଜରେ ପରାସ୍ତ କରିଦିଏ । ବିବେକ ନୀରବ ହୋଇଗଲେ ମନ ଇନ୍ଦ୍ରିୟ-ସୁଖକର ଆପାତ ମଧୁରତାରେ ଭୁଲିଯାଇ ଚୋରି ପ୍ରଭୃତି ଅସତ୍‍ କାର୍ଯ୍ୟଗୁଡ଼ିକ କରିପକାଏ । ବିବେକ ପରିଣାମଦର୍ଶୀ କିନ୍ତୁ ଇନ୍ଦ୍ରିୟ ଓ ମନ ଅପରିମାଣମଦର୍ଶୀ । ଏଥିପାଇଁ ବିବେକକୁ ବିଚାରଶକ୍ତି କହନ୍ତି ।

 

ପଶୁପକ୍ଷୀ ଓ କୀଟପତଙ୍ଗଠାରେ ଥିବା ବିଚାରଶକ୍ତି ବେଶୀ ସମୟ କାମ କରିପାରେ ନାହିଁ । ତାହା ଅତି ଅଳ୍ପ ସମୟ ଭିତରେ ନୀରବ ହୋଇଯାଏ । ଶେଷରେ ମନ ଇନ୍ଦ୍ରିୟ-ସୁଖକର କାର୍ଯ୍ୟରେ ଲାଗିଯାଏ । ସବୁ ପଶୁ ବା ସବୁ ପକ୍ଷୀଙ୍କ ଠାରେ ବିଚାରଶକ୍ତି ସମାନ ଭାବରେ କାମ କରିପାରେ ନାହିଁ । କୁକୁର, ବିରାଡ଼ି ଓ ହରିଣ ପ୍ରଭୃତି ଗୃହପାଳିତ ପଶୁଗୁଡ଼ିକ ମୁନିବର ଭୟରେ ବିଚାରଶକ୍ତିକୁ ବେଶି ବ୍ୟବହାର କରିବାକୁ ଅଭ୍ୟସ୍ତ ହୋଇଥାନ୍ତି । ଏହା ଫଳରେ କୁକୁର ଗୃହପାଳିତ ଛେଳି, ମେଣ୍ଢା ଓ କୁକୁଡ଼ାକୁ ମାରେ ନାହିଁ କି ଗୃହ ମଧ୍ୟରେ ମଳତ୍ୟାଗ କରେ ନାହିଁ ।

 

ମନୁଷ୍ୟମାନଙ୍କ ମଧ୍ୟରୁ ଦୁଷ୍ଟଠାରେ ବିଚାରଶକ୍ତି ଅଳ୍ପ କାମ କରେ । ଦୁଷ୍ଟ ଲୋକ ଗୃହପାଳିତ ପଶୁପରି ସମାଜର ନିନ୍ଦାଭୟ ଓ ଦେଶର ଆଇନ ଭୟ ଯୋଗୁଁ ବିଚାରଶକ୍ତିକୁ ବ୍ୟବହାର କରିବାକୁ ଯତ୍‍ ସାମାନ୍ୟ ଅଭ୍ୟସ୍ତ ହୋଇଯାଏ କିନ୍ତୁ ସାଧୁ ସ୍ଵଭାବର ଲୋକମାନେ ବିଚାରଶକ୍ତିର ବେଶୀ ଆଶ୍ରୟ ନେଇଥାନ୍ତି । ସେମାନେ କୌଣସି କାମ କରିବା ପୂର୍ବରୁ ତାହାର ପରିଣାମ ଚିନ୍ତା କରନ୍ତି । ସେମାନେ ଇନ୍ଦ୍ରିୟ ଆପାତ ମଧୁରତାରେ ଭୁଲିବାକୁ ଚାହାନ୍ତି ନାହିଁ । ଏଥିପାଇଁ ସେମାନଙ୍କର ଇନ୍ଦ୍ରିୟଗୁଡ଼ିକ ସଂଯତ ହୋଇଥାଏ । ଯାହାର ଇନ୍ଦ୍ରିୟ-ସଂଯମ ଯେତେ ଅଧିକ, ତାହାର ମନ ବିଚାରଶକ୍ତି ଦ୍ଵାରା ତେତେ ଅଧିକ ଚାଳିତ ହୁଏ ।

 

ସଂଯମୀ ବ୍ୟକ୍ତି ସଂସାରର ସୁଖଶାନ୍ତି ଲାଭ କରିବାର ସୁବିଧା ପାଏ । ତାହାର ମନ ଗୋଟିଏ କାମରେ ଶେଷ ପର୍ଯ୍ୟନ୍ତ ଲାଗି ରହେ । ସେ କୌଣସି ଅସତ୍‍ କାର୍ଯ୍ୟ କରିବାକୁ ଭଲପାଏ ନାହିଁ । ଆଉ ମଧ୍ୟ ସେ ଚେଷ୍ଟା କଲେ ଈଶ୍ଵରଙ୍କୁ ପାଇପାରେ । ଅସଂଯମୀ ବ୍ୟକ୍ତି ପକ୍ଷରେ ଈଶ୍ଵରଙ୍କୁ ପାଇବା ତ ଦୂରର କଥା, ନିଜ ପରିବାରର ବା ନିଜ ଦେଶର କୌଣସି ବ୍ୟକ୍ତିର ଆଦର ପାଇବା ସମ୍ଭବପର ନୁହେଁ । ଏହି ସଂଯମ କିପରି ଅଭ୍ୟାସ କରିବାକୁ ହେବ, ପୃଥିବୀର ଆଦର୍ଶ ମାନବ ମହାତ୍ମା ଗାନ୍ଧୀ ତାଙ୍କ ଆତ୍ମକାହାଣୀରେ ବର୍ଣ୍ଣନା କରିଛନ୍ତି । ସେ ବିଚାରଶକ୍ତି ଦ୍ଵାରା ଚାଳିତ ହୋଇ ନିଜର ଅସତ୍‍ ଅଭ୍ୟାସଗୁଡ଼ିକୁ ବର୍ଜନ କରିଛନ୍ତି । ତାହାହିଁ ବିଚାରଶକ୍ତି ବର୍ଦ୍ଧନର କୌଶଳ ।

 

୨ୟ–ଇନ୍ଦ୍ରିୟ ସଂଯମ ଦ୍ଵାରା ଯଦି ଉପକାର ମିଳିବ, ତେବେ ସବୁ ଇନ୍ଦ୍ରିୟକୁ ଅଚଳ କରିଦେଲେ ତ ବେଶୀ ଉପକାର ମିଳିବ ? ଆଖିର ଦେଖିବା ଶକ୍ତି ଥିବାରୁ ସିନା କାମ କଲାବେଳେ ଆଖି ଅନ୍ୟମନସ୍କ କରାଇ ଦେଉଛି ?

 

୧ମ–ଶରୀର ଇନ୍ଦ୍ରିୟଗୁଡ଼ିକ ଦ୍ଵାରା ପରା କାମ କରିବ ? ଭଲ କାମ ପାଇଁ ଏବଂ ମନ୍ଦ କାମ ପାଇଁ ଇନ୍ଦ୍ରିୟ ଲୋଡ଼ା । ଇନ୍ଦ୍ରିୟଗୁଡ଼ିକ ଅଚଳ ହୋଇଗଲେ ମନ୍ଦ କାମ ବନ୍ଦ ହେବା ସଙ୍ଗେ ସଙ୍ଗେ ଭଲ କାମ ମଧ୍ୟ ବନ୍ଦ ହୋଇଯିବ । ଏପରିକି ଶରୀର ରକ୍ଷା ପାଇଁ ଖାଦ୍ୟ ଦ୍ରବ୍ୟ ସଂଗ୍ରହ କରି ପାରିବ ନାହିଁ, ଶୀଘ୍ର ମରିଯିବ । ଏଣୁ ଇନ୍ଦ୍ରିୟଗୁଡ଼ିକ ଅଚଳ ହେବାରେ ଲାଭଠାରୁ କ୍ଷତି ବହୁଗୁଣ ଅଧିକ ।

 

ଜଣେ ଚାଷୀର ଦଶଜଣ ଚାକର ଅଛନ୍ତି । ଦଶଜଣଯାକ ସବୁବେଳେ ମୁନିବର କଥା ମାନୁନାହାନ୍ତି । କେତେବଳେ କିଏ ମାନୁଛି ତ କେତେବେଳେ କିଏ ମାନୁନାହିଁ । ତେଣୁ ଚାଷର ପୂରା ଲାଭ ହେଉନାହିଁ । ଚାଷୀ ଯଦି ସବୁ ଚାକରଙ୍କୁ ବାହାର କରିଦିଏ, ଚାଷ ଏକାବେଳେକେ ବନ୍ଦ ହୋଇଯିବ । ପୁଣି ଚାକରମାନେ କଥା ନ ମାନିଲେ ଚାଷରେ ଲାଭ ହେବନାହିଁ । ଏଣୁ ଚାଷୀର କର୍ତ୍ତବ୍ୟ, ସେ ଚାକରମାନଙ୍କୁ ପ୍ରତିଦିନ ବୁଝାଇ, ଭଲ ପାଇ, ପୁରସ୍କାର ଦେଇ ଓ ତିରସ୍କାର କରି ନିଜର ଅଧୀନ କରିନେବ । ତାହାହେଲେ ଚାକରମାନେ ମନପ୍ରାଣ ଦେଇ କାମ କରିବେ । ଫଳରେ ଚାଷ ଭଲ ହେବ ।

 

ଆଖି, କାନ, ନାକ ଓ ଜିଭ ପ୍ରଭୃତି ଦଶ ଇନ୍ଦ୍ରିୟର ଶକ୍ତି ଅନେକ ବେଶୀ । ଇନ୍ଦ୍ରିୟଗୁଡ଼ିକ ଅନୁକୂଳ ହେଲେ ମନୁଷ୍ୟ ବିଦ୍ୟା, ବୁଦ୍ଧି, ଧନ ଓ ଗୁଣ ଅର୍ଜନ କରେ ଏବଂ ପ୍ରତିକୂଳ ହେଲେ ଏ ସମସ୍ତ ହରାଇ ଶେଷରେ ନିଜେ ନଷ୍ଟ ହୋଇଯାଏ । ଏପରିକି ଗୋଟିଏ ଇନ୍ଦ୍ରିୟ ପ୍ରତିକୂଳ ହେଲେ, ଲୋକ ନଷ୍ଟ ହୋଇଯିବ । ଧର, ଜିଭ ଇନ୍ଦ୍ରିୟ । ସେ ସବୁବେଳେ ଭଲ ଭଲ ପଦାର୍ଥ ଖାଇବାକୁ ଚାହୁଁଛି । ତାକୁ ମୂଲ୍ୟବାନ୍‍ ସ୍ୱାଦୁକର ପଦାର୍ଥ ଦେଲେ ଖୁସି ହେବ କିନ୍ତୁ ଉକ୍ତ ଖୁସି ସ୍ଥାୟୀ ହେବ ନାହିଁ-। ତେଣୁ ଜିଭ ପ୍ରତିଦିନ ଅଧିକ ଅଧିକ ସ୍ଵାଦୁକର ପଦାର୍ଥ ଖାଇବାକୁ ଚାହିଁବ ଏବଂ ଲୋକକୁ ସର୍ବହରା କରାଇଦେବ କିମ୍ବା ଅତିଭୋଜୀ ହୋଇ ଶରୀର ନଷ୍ଟ କରାଇଦେବ । ଅତଏବ ଜିଭର ଲାଳସା ବନ୍ଦ ହେବ ନାହିଁ । ଏହିପରି ପ୍ରତ୍ୟେକ ଇନ୍ଦ୍ରିୟ ।

 

ମନୁଷ୍ୟ ଘରଦ୍ଵାର, ଗାଈ, ବଳଦ, ଦାସ ଦାସୀ, ଧନ ଧାନ୍ୟ ଓ ଜମିବାଡ଼ି ପ୍ରଭୃତି ଯେତେ ସଂଗ୍ରହ କରେ ସେସବୁ ଇନ୍ଦ୍ରିୟ ସେବା ପାଇଁ କିମ୍ବା ଶରୀର ରକ୍ଷା ପାଇଁ । ଏ ସମସ୍ତକୁ ସମ୍ପତ୍ତି କୁହାଯାଏ । ଯେଉଁ ଲୋକ ସମ୍ପତ୍ତିକୁ କେବଳ ଇନ୍ଦ୍ରିୟ ଦେବା ଅର୍ଥାତ୍‍ ଭଲ ଖାଇବା, ଭଲ ପିନ୍ଧିବା ପ୍ରଭୃତିରେ ବ୍ୟୟ କରେ ସେ ସମ୍ପତ୍ତିବାନ୍‍ ହେବା ଦୂରେ ଥାଉ ଦରିଦ୍ର ଓ ରୁଗ୍‍ଣ ହୋଇଯାଏ-। ସେହିପରି ଯେଉଁ ଛାତ୍ର ଭଲ ଖାଇବା, ଭଲ ପିନ୍ଧିବା ଓ ଭଲ ପଦାର୍ଥ ବ୍ୟବହାର କରିବା ପ୍ରଭୃତିରେ ମାତିଥାଏ; ସେ ଭଲ ପଢ଼ିପାରେ ନାହିଁ କି ବଢ଼ିଲେ ବଡ଼ ମଣିଷ ହୋଇପାରେ ନାହିଁ-

ଇନ୍ଦ୍ରିୟଗୁଡ଼ିକର ତୃପ୍ତି ପଦାର୍ଥ ଦ୍ଵାରା ହେବ ନାହିଁ, ବରଂ ଭୋଗର ବାସନା ବୃଦ୍ଧି ପାଇବ-। ନିଆଁରେ କାଠ, ଘିଅ ଯେତେ ପକାଇବ ନିଆଁ ତେତେ ବଡ଼ ଆକାରର ଧରି ବେଶୀ ଖାଇବାକୁ ଚାହିଁବ । ଏଣୁ ଇନ୍ଦ୍ରିୟ ତୃପ୍ତି ଦିଗରେ ଲକ୍ଷ୍ୟ ନ ରଖି କେବଳ ଶରୀର ରକ୍ଷା ଦିଗରେ ଲକ୍ଷ୍ୟ ରଖିବା ଉଚିତ । ଖାଇବା ପୂର୍ବରୁ ଶରୀର ରକ୍ଷା ବିଷୟ ଚିନ୍ତା କରିବାର ଅଭ୍ୟାସ ପଡ଼ିଗଲେ ଜିହ୍ଵା ଇନ୍ଦ୍ରିୟ ତାହାର ତୃପ୍ତି ପାଇଁ ଆଉ ପ୍ରବର୍ତ୍ତାଇ ପାରିବ ନାହିଁ । ମନ ବୁଝିଗଲେ ଇନ୍ଦ୍ରିୟ ନୀରବ ହୋଇଯିବ-

୨ୟ–ମୁଁ ଦେଖୁଛି, ଧନୀର ଇନ୍ଦ୍ରିୟ ସଂଯମ କରିବା ବଡ଼ କଷ୍ଟ । ଧନ ପାଖରେ ଥିଲେ ସିନା ଭଲ ଖାଇବାକୁ ଓ ଭଲ ପିନ୍ଧିବାକୁ ମନ ହେବ । ଧନୀମାନେ ପ୍ରାୟ ବିଳାସୀ ହୋଇଥାନ୍ତି । ତେଣୁ ଆମେ ଦରିଦ୍ର ହେଲେ ତ ଭଲ ହେବ ?

୧ମ–ଇନ୍ଦ୍ରିୟଗୁଡ଼ିକ ଅଚଳ ହୋଇଗଲେ ଶରୀର ଯେପରି ନଷ୍ଟ ହୋଇଯିବ, ଧନ ପୂର୍ଣ୍ଣ ମାତ୍ରାରେ ଦୂର ହୋଇଗଲେ ଶରୀର ସେହିପରି ନଷ୍ଟ ହୋଇଯିବ । ଶରୀର ରକ୍ଷା ପାଇଁ ଖାଦ୍ୟପେୟ ଲୋଡ଼ା, ଖାଦ୍ୟପେୟ ସଂଗ୍ରହ ପାଇଁ ଧନ ଲୋଡ଼ା । ଧନ ଘର ମଧ୍ୟରେ ନିଆଁ ପରି କାର୍ଯ୍ୟ କରେ । ନିଆଁ ନ ହେଲେ ଚଳିହେବ ନାହିଁ, ପୁଣି ନିଆଁ ଘରଦ୍ଵାର ପୋଡ଼ିଦେବ । ଏଥିପାଇଁ କେବଳ ସାବଧାନତା ଲୋଡ଼ା । ଯଦି ସାବଧାନ ହୋଇ ନିଆଁକୁ ବ୍ୟବହାର କରିବା, ତାହା ଆମର ଅନେକ ଉପକାର କରିବ । ଅସାବଧାନ ହେଲେ ନିଆଁ ଅନେକ ଅପକାର କରିବ । ତାହାହେଲେ ନିଆଁତ ଆମର ଶତ୍ରୁ ହେଲା ନାହିଁ, ଶତ୍ରୁ ହେଲା ନିଜର ଅସାବଧାନତା । ଏଣୁ ନିଆଁକୁ ଦୂର କରିବା ଠାରୁ ନିଜର ଅସାବଧାନତାକୁ ଦୂର କରିବା ଆବଶ୍ୟକ । ଠିକ୍ ସେହିପରି ସାବଧାନ ହେଲେ ଧନ କିଛି କ୍ଷତି କରିପାରିବ ନାହିଁ ।

ଧନୀମାନେ ବିଳାସୀ ହୋଇପାରନ୍ତି ନାହିଁ କିନ୍ତୁ ଧନୀର ସନ୍ତାନମାନେ ବିଳାସୀ ହୋଇପାରନ୍ତି । ଯେ ଧନ ସଞ୍ଚୟ କରେ ସେ ଧନୀ । ଧନୀ ଯାହା ଅର୍ଜନ କରେ ତାହାର କିୟଦଂଶ ସଞ୍ଚୟ କରି ରଖେ । ଧନୀ ଇନ୍ଦ୍ରିୟ ସେବା ଅର୍ଥାତ୍‍ ଭଲ ଖାଇବା, ଭଲ ପିନ୍ଧିବା ଓ ଭଲ ଦେଖିବାକୁ ତୁଚ୍ଛ ମନେକରେ । ଧନୀ ଯେତେବେଳେ ଇନ୍ଦ୍ରିୟ ସେବା ଆଡ଼କୁ ମନ ଫେରାଇ ନିଏ ସେତେବେଳେ ନିର୍ଦ୍ଧନ ପାଲଟିଯାଏ । ପକ୍ଷାନ୍ତରେ ଦରିଦ୍ର ମଧ୍ୟ ବିଳାସୀ ହୋଇଥିବାର ଦେଖାଯାଏ-। ଦରିଦ୍ର ଯାହା ଆୟ କରେ ତାକୁ ମନେ ନ ରଖି ଭଲ ଖାଇବା ଓ ଭଲ ପିନ୍ଧିବାରେ ଅଧିକ ବ୍ୟୟ କରି ସର୍ବସ୍ଵାନ୍ତ ହୋଇଯାଏ । ଇନ୍ଦ୍ରିୟ ତୃପ୍ତି ପାଇଁ ଧାଇଁବା ବେଳେ ଧନୀ ଦରିଦ୍ର ବିଚାର କରି ହୁଏ ନାହିଁ । ଶେଷ କଥା, ଯାହାର ମନ ଯେଉଁ ଦିଗରେ ଅଭ୍ୟସ୍ତ ସେ ସେହି ଦିଗରେ ଧାଏଁ-

ତୁମ୍ଭେ ତୁମ୍ଭର ମନକୁ ସଂଯମ କରିବାର ଅଭ୍ୟାସ ଆରମ୍ଭ କରିନିଅ ଦେଖିବ, ଇନ୍ଦ୍ରିୟଗୁଡ଼ିକ କ୍ରମେ କ୍ରମେ ରୂପ ବଦଳାଇ ଦେବେ । ଅଭ୍ୟାସ କର, “କୌଣସି କାମ କରିବା ପୂର୍ବରୁ ତାହାର ଭଲମନ୍ଦ ଅନ୍ତତଃ ଦଶଥର ବିଚାର କରିବି, ତାହାପରେ କାମ ଆରମ୍ଭ କରିବି ।” ଏ ଅଭ୍ୟାସ ଯେତେ ଦୃଢ଼ ହେବ, ମନ ତେତେ ଧୀର ବା ସଂଯତ ହେବ । ତୁମ୍ଭେ ସବୁବେଳେ ସୁଖରେ ଦିନ କଟାଇବା । ସାଂସାରିକ ଦୁଃଖଗୁଡ଼ିକ ତୁମ୍ଭଙ୍କୁ ବିଚଳିତ କରିବ ନାହିଁ । ଏଥିପାଇଁ କହନ୍ତି–

 

ବୁଝି ବିଚାରି କାମ କଲେ

ବିପଦ ନ ପଡ଼ଇ ଭଲେ ।

 

ଆଉ ଗୋଟିଏ କଥା, ଇନ୍ଦ୍ରିୟ-ସଂଯମ ପାଇଁ ଧୈର୍ଯ୍ୟ ଓ ବାରମ୍ବାର ଚେଷ୍ଟା ଆବଶ୍ୟକ । ଏହା ମରଣ ପର୍ଯ୍ୟନ୍ତ ଲାଗି ରହିପାରେ । ଥରେ ନୁହେଁ, ଦୁଇ ଥର ନୁହେଁ; ଶତାଧିକ ଥର ପରାସ୍ତ ହେବାକୁ ପଡ଼ିବ । ତଥାପି ଧୈର୍ଯ୍ୟ ଧରି ଚେଷ୍ଟା କରିବାକୁ ପଡ଼ିବ । ଋଷିମାନେ ମଧ୍ୟ ଇନ୍ଦ୍ରିୟଦ୍ଵାରା ପରାସ୍ତ ହୋଇଛନ୍ତି । ଏଣୁ ଯେତିକି ସଂଯମ ହେବ, ଯେତିକି ଅନୁତାପ; ସେତିକି ଯଥେଷ୍ଟ ମନେ କରି ପୁଣି ଚେଷ୍ଟା କରିବାକୁ ହେବ । ପୂରା ଅସଂଯମୀଠାରୁ ଅଧା ସଂଯମୀ ହେବା ଯଥାଲାଭ । ଯେଉଁ ଦିନ ଯେତିକି ସଂଯମୀ ହେବ ସେହି ଦିନ ସେତିକି ସୁଖଶାନ୍ତି ଭୋଗ କରିବ ।

 

୨ୟ–ସୁଖ ପାଇବା ପାଇଁ ମନୁଷ୍ୟ ତଥା ପ୍ରାଣୀମାନେ ଦିନରାତି ଧାଇଁଛନ୍ତି । ସୁଖକୁ ସବୁବେଳେ ପାଇବା କଅଣ ସମ୍ଭବ ? ତେବେ କେବେ କେମିତି ମିଳିପାରେ, କିନ୍ତୁ ସବୁବେଳେ କିମିତି ମିଳିବ ମୁଁ ବୁଝିପାରୁନାହିଁ । ଅନୁଗ୍ରହ କରି ସେ ବିଷୟରେ କିଛି କହନ୍ତୁ ।

 

୧ମ–ଆଚ୍ଛା ହେଉ, ଆଉ ଦିନେ ଦେଖା ହେଲେ ସୁଖ ବିଷୟ ନେଇ କହିବି । ବର୍ତ୍ତମାନ ଖରା କମିଲାଣି, ନିଜ ନିଜ ଗନ୍ତବ୍ୟ ପଥର ଚାଲ ଯିବା ।

 

(ଏହାପରେ ଦୁହେଁ ପରସ୍ପର ଠାରୁ ବିଦାୟ ନେଇ ବିପରୀତ ଦିଗରେ ଗତି କଲେ ।)

Image

 

ଦ୍ଵିତୀୟ ଅଧ୍ୟାୟ (ସୁଖ)

 

(ପୂର୍ବ ବର୍ଣ୍ଣିତ ୨ୟ ବାଟୋଇ ଅନ୍ୟ ଦିନେ ୧ମ ବାଟୋଇଙ୍କ ପାଖରେ ଯାଇ ପହଞ୍ଚିଲେ ଏବଂ ଭକ୍ତି ସହକାରେ କଥାବାର୍ତ୍ତା ଆରମ୍ଭ କଲେ ।)

 

୨ୟ–ଗୁରୁଦେବ, ଅନେକ ଦିନ ହେଲା ଆପଣଙ୍କ ସହିତ ଦେଖା ହୋଇନାହିଁ । ତେଣୁ ମନ ବଡ଼ ଅଥୟ ହେଲା । ଆଜି ଆଶୀର୍ବାଦ ଭିକ୍ଷା ଆଶାରେ ଚାଲି ଆସିଲି ।

 

୧ମ–ହେଉ, ବସ । ଆଜିକାଲି ଯୁଗ ବଦଳିଲା । ଲୋକଙ୍କ ରୀତିନୀତି, ଖାଦ୍ୟପେୟ, ପୋଷାକ ଓ ଭାଷା ବଦଳିଲା କିନ୍ତୁ ତୁମ୍ଭେ ସେହି ପୁରୁଣା କାଳର ‘ଗୁରୁଦେବ’ ଶବ୍ଦଟି ସାଇତି ରଖିଛ-। ଆଜି ତାହା ବଦଳରେ ‘ମହାଶୟ’ ଶବ୍ଦ ପରା ଆମଦାନୀ ହେଲାଣି । ଅଭ୍ୟାସ ବଶତଃ ରଖିଛ, ନାଁ ବୁଝି ଶୁଝି ରଖିଛ ?

 

୨ୟ–ମୁଁ ସେପରି କିଛି ବୁଝିନାହିଁ । ଅଭ୍ୟାସ ବଶତଃ ରଖିଛି । ତଥାପି ଗୁରୁଦେବ କହିଲେ ମୋତେ ଭଲ ଲାଗେ । ନୂଆ ଅଭ୍ୟାସଟା ଅଡ଼ୁଆ ଲାଗେ ।

 

୧ମ–ଭଲ କରିଛ । ଗୁରୁଦେବ କହିଲାକ୍ଷଣି ନିଜର ଭକ୍ତିଭାବ ବେଶୀ ବଢ଼ିଯାଏ । ଗୁରୁ ଶବ୍ଦର ଅର୍ଥ ନିଜଠାରୁ ବେଶୀ ଓଜନ । ପୁଣି ଦେବ ଲଗାଇବାରୁ ଦେବତା ସହିତ ସମାନ ମନେ କରାଯାଏ । ଦେବତା-ମାନଙ୍କଠାରେ ଆମଠାରୁ ବଳ ଓ ଗୁଣ ଅନେକ ବେଶୀ ଅଛି ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣିତ ଅଛି । ନିଜଠାରୁ ଅନ୍ୟକୁ ଯେତେ ବଡ଼ ଆକାରରେ ଦେଖି ଶିଖିବ ତେତେ ଭଲ ଏଥିପାଇଁ ଗୁରୁଦେବ, ପିତୃଦେବ ପ୍ରଭୃତି ସମ୍ବୋଧନ ପୁରାକାଳରୁ ହିନ୍ଦୁ ସମାଜରେ ଚଳି ଆସୁଅଛି । ଅବଶ୍ୟ ମହାଶୟ ଶବ୍ଦର ଅର୍ଥ ଊଣା ନୁହେଁ କିନ୍ତୁ ଆଜି ଏହି ଶବ୍ଦ ପ୍ରାୟ ସମସ୍ତଙ୍କ ପ୍ରତି ପ୍ରୟୋଗ କରାଯାଉ ଥିବାରୁ ସାଧାରଣ ଶବ୍ଦ ହୋଇଯାଇଛି । ଅର୍ଥ ଯାହା ହେଉନା କାହିଁକି, ବ୍ୟବହାର ଦୃଷ୍ଟିରୁ ଅର୍ଥର ତାରତମ୍ୟ ଜଣାପଡ଼େ । ମୋଟ କଥା ଗୁରୁଦେବ କହିବା ମାତ୍ରେ ନିଜ ହୃଦୟ ଯେତେ ନଇଁଆସେ; ମହାଶୟ କହିବାମାତ୍ରେ ସେତେ ନଇଁଆସେ ନାହିଁ ।

 

୨ୟ–ଗୁରୁ କେତେ ପ୍ରକାର ? ସେମାନଙ୍କ ସମ୍ବନ୍ଧରେ ମୋତେ ଗୋଟିଏ ଧାରଣା ଅନୁଗ୍ରହ କରି ଦିଅନ୍ତୁ ।

 

୧ମ–ଗୁରୁ ସାଧାରଣତଃ ଚାରି ପ୍ରକାର ଯଥା–ସାଧାରଣ ଗୁରୁ, ବିଦ୍ୟାଗୁରୁ, ଦୀକ୍ଷାଗୁରୁ ଓ ଗୁଣ ଗୁରୁ । ସଂସାରରେ ଚଳିବା ପାଇଁ ବହୁତ ପ୍ରକାର କାମ ଶିଖିବାକୁ ପଡ଼େ । ଭାତ ରାନ୍ଧିବା, ଚାଷ କରିବା ଓ ବାଣିଜ୍ୟ କରିବା ପ୍ରଭୃତି କାମ ଯାହାଙ୍କ ଠାରୁ ଶିଖାଯାଏ ତାଙ୍କୁ ସାଧାରଣ ଗୁରୁ କୁହାଯାଏ । ଅଙ୍କ, ସାହିତ୍ୟ, ଇତିହାସ ଓ ଭୂଗୋଳ ପ୍ରଭୃତି ବିଦ୍ୟାଳୟର ପାଠଗୁଡ଼ିକ ଯାହାଙ୍କ ଠାରୁ ଶିଖାଯାଏ ତାଙ୍କୁ ବିଦ୍ୟାଗୁରୁ କୁହାଯାଏ । ସଂସାରର ଗତିବିଧି ଓ ଈଶ୍ଵରଙ୍କ ସମ୍ବନ୍ଧରେ ଯାହାଙ୍କ ଠାରୁ ଶିଖାଯାଏ ତାଙ୍କୁ ଦୀକ୍ଷାଗୁରୁ କୁହାଯାଏ । ସାଧୁ ସନ୍ନ୍ୟାସୀମାନେ ସାଧାରଣତଃ ଏହି ଶ୍ରେଣୀର ଅନ୍ତର୍ଗତ । ଭଲ ଗୁଣଗୁଡ଼ିକ ଯାହାଙ୍କଠାରୁ ଶିଖାଯାଏ ତାଙ୍କୁ ଗୁଣଗୁରୁ କୁହାଯାଏ । ଏହି ଶ୍ରେଣୀର ଗୁରୁ ଅନେକ । ଯାହାଙ୍କଠାରେ ଯେଉଁ ଭଲ ଗୁଣ ଥାଏ ତାଙ୍କଠାରୁ ସେହି ଗୁଣକୁ ଶିଖିବାକୁ ହୁଏ । ପ୍ରତି ମନୁଷ୍ୟ ଠାରେ ଏକ ବା ଏକାଧିକ ଗୁଣ ଥିବାର ଦେଖାଯାଏ । ଏପରିକି ମନୁଷ୍ୟ ବ୍ୟତୀତ ଅନ୍ୟ ପ୍ରାଣୀମାନଙ୍କ ଠାରେ ମଧ୍ୟ ଗୁଣ ଅଛି । ଭାଗବତର ଏକାଦଶସ୍କନ୍ଧରେ ଲେଖାଅଛି, ଜ୍ଞାନୀ ଶ୍ରେଷ୍ଠ ଅବଧୂତ ମୀନ, ପତଙ୍ଗ ଓ ମୃଗ ପ୍ରଭୃତିଙ୍କୁ ଗୁରୁ ମନେକରି ସେମାନଙ୍କଠାରୁ ଗୁଣ ଶିଖିଥିଲେ-

 

ବିଦ୍ୟାଗୁରୁ ଓ ଦୀକ୍ଷା ଗୁରୁଙ୍କଠାରେ ବହୁତ ଭଲ ଗୁଣ ଥାଏ । ସେମାନେ ଶିଷ୍ୟର ପୂରା ଦାୟିତ୍ଵ ନେଇଥାନ୍ତି । ସେମାନେ ମାନବୋଚିତ ଗୁଣଗୁଡ଼ିକ ନିଜ ଶିଷ୍ୟକୁ ଦେବା ପାଇଁ ବ୍ୟଗ୍ର ହୁଅନ୍ତି-। ଆବଶ୍ୟକ ସ୍ଥଳେ ସେମାନେ ଶିଷ୍ୟକୁ ଶାସନ କରି ଗୁଣ ଶିକ୍ଷା ଦିଅନ୍ତି । ଆଜିକାଲି ବିଦ୍ୟାଳୟଗୁଡ଼ିକରେ ଗୁଣଶିକ୍ଷା ବା ଚରିତ୍ର ଗଠନ ପ୍ରତି ଅଧିକ ଦୃଷ୍ଟି ଦେବାର ବ୍ୟବସ୍ଥା କରାଯାଉଛି-। ଚରିତ୍ରବାନ ଛାତ୍ରର ଆଦର ଯଥେଷ୍ଟ ବେଶୀ । ଏମାନଙ୍କ ଛଡ଼ା ପିତାମାତାଦି ଗୁରୁଜନମାନେ ମଧ୍ୟ ଗୁରୁପଦବାଚ୍ୟ । ସେମାନେ ସର୍ବଦା ଭଲ ଗୁଣ ଶିଖାଇବା ପାଇଁ ବ୍ୟସ୍ତ ରହନ୍ତି-। ସବୁ ଗୁରୁଙ୍କ ମଧ୍ୟରେ ମାତାହିଁ ପ୍ରଥମ । ସେ ପିଲା ଦିନରେ ଶିକ୍ଷା ଦିଅନ୍ତି । ପିଲା ଦିନର ଗୁଣଗୁଡ଼ିକ ଆଜୀବନ ରହିଯାଏ । ଏଥିପାଇଁ କହନ୍ତି–

 

ଯାହା ନୋହିବ ବାଳକାଳେ,

ତାହା ନୋହିବ କାଳେ କାଳେ ।

 

ଯେଉଁ ଶିଷ୍ୟ ଗୁରୁ ଖୋଜିବ ତାହା ଆଗରେ ଗୁରୁ ସଂଖ୍ୟା ଅନେକ । ଯେଉଁ ଶିକ୍ଷ୍ୟ ଅନ୍ୟକୁ ଗୁରୁ ବୋଲି ସ୍ଵୀକାର କରିବାକୁ କୁଣ୍ଠିତ ହେବ ଅର୍ଥାତ୍ କାହାଠାରୁ କିଛି ଶିଖିବାକୁ ନ ଚାହିଁବ, ତାହା ଆଗରେ ଗୁରୁ ସଂଖ୍ୟା ଶୂନ୍ୟ କହିଲେ ଚଳେ । ଆଉ ମଧ୍ୟ ଆଜି ସମାଜରେ ନିଜକୁ ଗୁରୁ ମନେ କରିବାକୁ ଅଧିକାଂଶ ଲୋକ ଚାହାନ୍ତି । ସେମାନେ ଅନ୍ୟକୁ ଉପଦେଶ ଦେବାକୁ ଖୁସି ମନେ କରନ୍ତି । ଏପରିକି ନିଜଠାରେ ଯେଉଁ ଭଲଗୁଣ ନାହିଁ, ଅନ୍ୟକୁ ସେହି ଗୁଣରେ ଉପଦେଶ ଦେଇଥାନ୍ତି । ତଥାପି ଯେଉଁ ଶିକ୍ଷ୍ୟ ଗୁରୁଙ୍କଠାରୁ ଶିଖିବାକୁ ଚାହାନ୍ତି, ତାଙ୍କର ଏପରି ଗୁରୁଙ୍କ କଥାକୁ ମଧ୍ୟ ଶୁଣିବା ଉଚିତ । ଗୁରୁଙ୍କ କଥାକୁ କାମରେ ଲଗାଇ ପାରିଲେ ଲାଭ । ଗୁରୁ ନିଜେ ଯାହା କରନ୍ତୁ, ଶିଷ୍ୟର ଭାବିବାର ନାହିଁ ।

 

ଗୁରୁ ନିଜେ ମିଥ୍ୟା କହନ୍ତି ଅଥଚ ଅନ୍ୟକୁ ମିଥ୍ୟା ନ କହିବାକୁ ଉପଦେଶ ଦିଅନ୍ତି, ସେତେବେଳେ ଉପଯୁକ୍ତ ଶିଷ୍ୟ ମିଥ୍ୟା ନ କହିବାକୁ ହିଁ ଅଭ୍ୟାସ କରେ । ଶିଷ୍ୟ ଯଦି ଟାଣୁଆ ନ ଥାଏ ତେବେ ଏତାଦୃଶ ଗୁରୁଙ୍କ ପ୍ରଭାବ କାର୍ଯ୍ୟକାରୀ ହୁଏ ନାହିଁ । ସେଥିପାଇଁ ଦୁର୍ବଳଚିତ୍ତ ଶିଷ୍ୟ ପ୍ରଥମେ ବହୁ ଗୁଣ ଯୁକ୍ତ ଗୁରୁଙ୍କ ଭଲ କାର୍ଯ୍ୟକୁ ଅନୁସରଣ କରିବ । ଯେତେବେଳେ ଶିଷ୍ୟ ଟିକିଏ ଟାଣୁଆ ହୋଇଯିବ ସେତେବେଳେ ସମସ୍ତଙ୍କୁ ଗୁରୁ କରିପାରିବ । ଟାଣୁଆ ଶବ୍ଦର ଅର୍ଥ–ଦୋଷ ଓ ଗୁଣ ଦୁଇଟିରୁ ଦୋଷକୁ ଆଦୌ ନ ଦେଖି କେବଳ ଗୁଣକୁ ଦେଖିବା । ମନୁଷ୍ୟର ସ୍ଵଭାବ, ପରର ଦୋଷ ଦେଖିବା । ଏହି ସ୍ଵଭାବକୁ ନ ବଦଳାଇଲେ ନିଜ ଆଗରେ ଗୁରୁ ସଂଖ୍ୟା କମିଯିବ । କାରଣ ଏପରି ଗୁରୁ ଆଜି ଅତି ଅଳ୍ପ ଅଛନ୍ତି, ଯାହାଙ୍କଠାରେ ଆଦୌ ଦୋଷ ନାହିଁ କେବଳ ଗୁଣ ଅଛି ।

 

ଅତଏବ ଗୁରୁ ବାଛିବାରେ ଦୁଇଟି ବିପଦର ସମ୍ମୁଖୀନ ହେବାକୁ ହୁଏ । (୧) ଜନ୍ଦା ପିମ୍ପୁଡ଼ି, କୀଟପତଙ୍ଗ ଓ ପଶୁପକ୍ଷୀ ଠାରେ ଭଲ ଗୁଣ ଥିଲେ ସୁଧା ସେମାନଙ୍କୁ ଗୁରୁ ବୋଲି ସ୍ଵୀକାର କରିବାକୁ ନିଜର ମନ ସହଜରେ ରାଜି ହୁଏ ନାହିଁ ।

 

(୨) ଯେଉଁ ମନୁଷ୍ୟର ଭଲ ଓ ମନ୍ଦ ଦୁଇଟି ଗୁଣ ଅଛି, ତାହାର ଭଲ ଗୁଣକୁ ଦେଖିବାବେଳେ ତାହାର ମନ୍ଦ ଗୁଣ ଆଗେ ଦେଖାଯାଏ । ମନ୍ଦ ଗୁଣପ୍ରତି ଘୃଣା ଆସେ ଏବଂ ଭଲ ଗୁଣ କଥା ପାସୋରିଯାଏ । ଟିକିଏ ବିଚାରଶକ୍ତି ପ୍ରୟୋଗ କଲେ ଏହି ବିପଦ ଦୂର ହୋଇଯିବ ।

 

ଶେଷକଥା, ଏକାଧିକ ଗୁଣଯୁକ୍ତ ମାନବଙ୍କୁ ସଜ୍ଜନ ବା ଗୁରୁ ମନେକରି ଭକ୍ତି କର । ଶଙ୍କରାଚାର୍ଯ୍ୟ ମୋହମୁଦ୍‍ଗରରେ କହିଛନ୍ତି, “ସଜ୍ଜନ ସଙ୍ଗରେ କ୍ଷଣେମାତ୍ରେ ବାସ କଲେ ଏ ଦୁଃଖପୂର୍ଣ୍ଣ ସଂସାରର ଦୁଃଖ ତୁମ୍ଭଙ୍କୁ ବାଧିବ ନାହିଁ । ସଜ୍ଜନଙ୍କ ସତ୍‍ ଗୁଣ ସ୍ପର୍ଶଦ୍ଵାରା ସବୁ ଦୁଃଖର ଯନ୍ତ୍ରଣା କମିଯିବ ।”

 

୨ୟ–ଗୁରୁ ବିଷୟ ବୁଝିଲି । ବର୍ତ୍ତମାନ ସଂସାରର ସୁଖ ବିଷୟର ଧାରଣା ଦୟାକରି ଦିଅନ୍ତୁ ।

 

୧ମ–ଆଗେ ବିଚାର କର, ସୁଖ କାହାକୁ କହନ୍ତି । ଇନ୍ଦ୍ରିୟାନୁ ସୁଖକୁ ଶରୀର ଓ ମନ ସୁଖ ବୋଲି କହିଥାନ୍ତି । ମିଷ୍ଟାନ୍ନ ଭୋଜନ ପାଇଲେ ଜିହ୍ଵା ସୁଖୀ ହୁଏ, ଲୋକ ମଧ୍ୟ ସୁଖୀ ହୁଏ । କିନ୍ତୁ ଏ ସୁଖ କ୍ଷଣସ୍ଥାୟୀ । ଯେଉଁ ଲୋକ ସବୁଦିନେ ମିଷ୍ଟାନ୍ନ ଭୋଜନ ପାଏ ସେ ଦିନେ ପାଇଲେ ସୁଖୀ ହୁଏ । ଯଦି ସେ ପ୍ରତିଦିନ ଏ ମିଷ୍ଟାନ୍ନ ଭୋଜନରେ ଅଭ୍ୟସ୍ତ ହୋଇଯାଏ, ସେ ଆଉ ସୁଖୀ ହୋଇପାରେ ନାହିଁ । ସେ ପୂର୍ବାପେକ୍ଷା ଅଧିକତର ସ୍ୱାଦୁକର ଖାଦ୍ୟ ପାଇଲେ ସୁଖୀ ହେବ ।

 

ଦରିଦ୍ର ପାଖରେ ଟଙ୍କା ନ ଥାଏ । ସେ ଗୋଟିଏ ଟଙ୍କା ପାଇଲେ ଖୁସି ହୁଏ । ସବୁଦିନେ ଗୋଟିଏ ଟଙ୍କା ରଖି ପାରିଲେ ସେ ଗୋଟିଏ ଟଙ୍କାରେ ଆଉ ଖୁସି ହୋଇପାରେ ନାହିଁ, ସେ ଚାହେଁ ଦଶ ଟଙ୍କା । ଏହିପରି ଦଶ ପରେ ଶତ, ଶତ ପରେ ସହସ୍ର, ସହସ୍ର ପରେ ଲକ୍ଷ, ଲକ୍ଷ ପରେ କୋଟି ମୁଦ୍ରାପତି ହେବାକୁ ଲୋକ ଆଶା କରେ । ତାହାହେଲେ ଖୁସି ପାଇଁ ମୁଦ୍ରାର ପରିମାଣ ସବୁବେଳେ ସମାନ ନୁହେଁ । ଧନୀ ଯେତେ ଧନ ସଞ୍ଚୟ କଲେ ସୁଦ୍ଧା ଖୁସି ହୋଇପାରେ ନାହିଁ ।

 

ତାହାହେଲେ । ସୁଖର ମାପକାଠି କାହିଁ ? ସୁଖ ବୋଲି ସମସ୍ତେ ପାଗଳ ହେଉଛନ୍ତି ସତ ମାତ୍ର ସୁଖ ସହଜରେ ମିଳୁନାହିଁ । ଯଦିବା ମିଳୁଛି, କ୍ଷଣସ୍ଥାୟୀ । ଆଜି ଯାହା ସୁଖ କାଲି ତାହା ଦୁଃଖରେ ପରିଣତ ହେଉଛି । ପୁଣି ଗୋଟିଏ ପ୍ରକାର ସୁଖ ସମସ୍ତଙ୍କୁ ସମାନ ସୁଖ ଦେଇପାରୁ ନାହିଁ-। କିଏ ଚାହୁଁଛି ଧନ, କିଏ ଚାହୁଁଛି ବିଦ୍ୟା, କିଏ ଚାହୁଁଛି ପୁତ୍ରକନ୍ୟା ଏବଂ କିଏ ଚାହୁଁଛି ପରୀକ୍ଷାରେ ସଫଳତା ଇତ୍ୟାଦି । ଏପରି ଗୋଟିଏ ନିର୍ଦ୍ଦିଷ୍ଟ ପଦାର୍ଥ ନାହିଁ, ଯାହା ସମସ୍ତଙ୍କୁ ସମାନ ସୁଖ ଦେବ । ପକ୍ଷାନ୍ତରେ ଏପରି ଗୋଟିଏ ନିର୍ଦ୍ଦିଷ୍ଟ ସୁଖ ନାହିଁ ଯାହା ସବୁଦିନେ ସମାନ ପରିଣାମରେ ସୁଖ ହେବ-

 

ଗଭୀର ଚିନ୍ତା କଲେ ବୁଝିହେବ, ଲୋକେ ସୁଖ ପାଇବା ପାଇଁ ପାଗଳ ହେଉ ନାହାନ୍ତି; ନିଜ ନିଜର ଦୁଃଖ ଦୂର କରିବା ପାଇଁ ପାଗଳ ହେଉଛନ୍ତି । ଦୁଃଖର ଅଭାବକୁ ପ୍ରକାରାନ୍ତରେ ସୁଖ କୁହାଯିବ । କପିଳଙ୍କ ସାଂଖ୍ୟ ଦର୍ଶନରେ ଲେଖାଅଛି, ଅତ୍ୟନ୍ତ ଦୁଃଖନିବୃତ୍ତ୍ୟା କୃତକୃତ୍ୟତା । (ସାଂଖ୍ୟ ୬/୫) ଅର୍ଥାତ୍‍ ଦୁଃଖ ଅତିମାତ୍ରାରେ ଦୂର ହୋଇଗଲେ ମୋକ୍ଷ (ସ୍ଥାୟୀ ସୁଖ) ମିଳେ । “ସୁଖ ବୋଲି କିଛି ନାହିଁ, ତାହା ଦୁଃଖର ଅଭାବ ମାତ୍ର ।” ଯେଉଁ ଲୋକ ଦୁଃଖକୁ ମନରୁ ପୂର୍ଣ୍ଣରୂପେ ଦୂର କରିଦେବ, ସେ ଈଶ୍ଵରଙ୍କୁ ମଧ୍ୟ ଚିନ୍ତା କରିପାରିବ । ଦୁଃଖ ସୁଖ ବୋଲି କିଛି ନାହିଁ, ତାହା ମନରେ ଅଜ୍ଞତା ବା ଦୁର୍ବଳତା । କିଏ ଦୁଃଖ ସୁଖରେ ବିଚଳିତ ହେଉଛି, କିଏ ଅବା ଅବିଚଳିତ ରହି ନିଜର କର୍ତ୍ତବ୍ୟ କରି ଚାଲିଛି ।

 

ମନକୁ ବିବେକ ଦ୍ଵାରା ବୁଝାଇ ପାରିଲେ ଦୁଃଖ ଆମକୁ ଯନ୍ତ୍ରଣା ଦେବ ନାହିଁ । ମନର ଆଉ ଗୋଟିଏ ଦୁଷ୍ଟାମି ଅଛି । ମୋର ସବୁବେଳେ ନିଜଠାରୁ ଅଧିକତର ସୁଖୀର ସୁଖକୁ ନିଜ ସୁଖ ସହିତ ତୁଳନା କରେ । ତେଣୁ ନିଜର ସୁଖ ଦୁଃଖ ପାଲଟିଯାଏ । ଯଦି ଦୁଃଖ ଭୋଗିବାବେଳେ ସଂସାରରେ କିଏ ନିଜଠାରୁ ଅଧିକ ଦୁଃଖ ଭୋଗୁଛନ୍ତି, ଚିନ୍ତା କରିବ; ତେବେ ନିଜର ଦୁଃଖ ସୁଖ ପାଲଟିଯିବ । ଏହିପରି ଅଭ୍ୟାସ କରୁ କରୁ ଦୁଃଖ ଓ ସୁଖରେ ସମାନ ଜ୍ଞାନ ଆସିଯିବ ।

 

୨ୟ–ଦୁଃଖ ଓ ସୁଖରେ ସମାନ ଜ୍ଞାନ ଆସିଲେ ଲୋକ ଆଉ ନିଜ ପାଇଁ ବା ପରିବାର ପାଇଁ କର୍ମ କରିବ କାହିଁକି ? ସେ ତ ସନ୍ନ୍ୟାସୀ ହୋଇ ବୁଲିବ ।

 

୧ମ–ଦୁଃଖ ଓ ସୁଖରେ ସମାନ ଜ୍ଞାନ ପୂରା ଆସିବା ସହଜ ନୁହେଁ । ଯେତେବେଳେ ପୂରା ଆସିଯିବ, ସେତେବେଳେ ଲୋକ ଈଶ୍ଵରଙ୍କ ନିକଟବର୍ତ୍ତୀ ହୋଇଯିବ ବା ମୁକ୍ତି ପାଇଯିବ । ଏ ଦେହ ଥିବା ପର୍ଯ୍ୟନ୍ତ ଦୁଃଖ ସୁଖ ଊଣାଅଧିକେ ସ୍ପର୍ଶ କରିବ । ଆମେ ଦୁଃଖରେ ବା ସୁଖରେ ବିଚଳିତ ହୋଇ ପଡ଼ୁଛୁଁ । ଏହି ବିଚଳି ହେବାର ପରିମାଣ କମାଇବାକୁ ହେବ । ଦୁଃଖ ଓ ସୁଖର ସମାନ ଜ୍ଞାନକୁ ଅଭ୍ୟାସ କରିବାକୁ ହେବ । ଏହି ସମତା ଯେତେ ଆସିବ ଆମେ ସେତେ ଶାନ୍ତିରେ ରହିବା ।

 

ଦୁଃଖ ସୁଖରେ ସମାନ ଜ୍ଞାନ ଆସିଲେ ସୁଦ୍ଧା କର୍ମ କରିବାକୁ ପଡ଼ିବ । ଦେହ ଥିବା ଯାଏ କର୍ମ ଆବଶ୍ୟକ । କର୍ମ ଛାଡ଼ି ଦେଇ ସଙ୍ଗେ ସଙ୍ଗେ ଦେହ ନଷ୍ଟ ହୋଇଯିବ । ଏହି ଦେହଦ୍ୱାରା ଆମେ ଭଲ ଗୁଣଗୁଡ଼ିକର ଅଭ୍ୟାସ କରିବା ଏବଂ ଭଲ କାମ କରି ଭଲ ଫଳ ପାଇବା । ଦେହ ରକ୍ଷା କରିବାକୁ ହେଲେ ନିଜ ପରିବାର ତଥା ନିଜ ଦେଶ ପାଇଁ କର୍ମ କରିବାକୁ ପଡ଼ିବ । ପୁଣି ବିଚାର କଲେ ଦେଖାଯିବ, ଏ ଦେହ ନିଜ ପରିବାର ଓ ନିଜ ଦେଶଠାରୁ ଉପକାର ପାଇଆସିଛି । ଉକ୍ତ ଉପକାର ପରିଶୋଧ କରିବା ଏକାନ୍ତ ଆବଶ୍ୟକ ।

 

ନିଜର କାମଗୁଡ଼ିକ କର୍ତ୍ତବ୍ୟ ଜ୍ଞାନରେ କରିଗଲେ ଦୁଃଖ ସୁଖ ବିଚଳିତ କରିପାରିବ ନାହିଁ-। ବିବେକର ଆଶ୍ରୟରେ ପ୍ରଥମେ କର୍ତ୍ତବ୍ୟ ସ୍ଥିର କର, ତାହାପରେ କାମ କର । ଫଳ ଭଲ ହେଉ ବା ମନ୍ଦ ହେଉ ସେଥିରେ ତୁମ୍ଭର ବିଚଳିତ ହେବା କି ଆବଶ୍ୟକ ? କୌଣସି କାମକୁ ଅତି ବେଶୀ ଭଲ ପାଅ ନାହିଁ ଯେଉଁ କାମକୁ ଯେତେ ଭଲ ପାଇଥିବ, ସେହି କାମ ବିଫଳ ହେଲେ ତେତେ ଦୁଃଖ ଭୋଗିବ । ପକ୍ଷାନ୍ତରେ କାମଟିକୁ ଆଦୌ ଭଲ ନ ପାଇଲେ କାମ କରିବାକୁ ଇଚ୍ଛା ହେବ ନାହିଁ-। ଏଣୁ ଭଲ ପାଇବା ସୀମା ଭିତରେ ରହିବା ଉଚିତ ।

 

ସନ୍ନ୍ୟାସୀ ହେବା ସହଜ ନୁହେଁ । ଅନେକ କହିଥାନ୍ତି “ସନ୍ନ୍ୟାସୀର ଚିନ୍ତା ନାହିଁ କି ଦୁଃଖ ନାହିଁ” କିନ୍ତୁ ସବୁ ସନ୍ନ୍ୟାସୀ ସମାନ ନୁହନ୍ତି । ଦୁଃଖ ସୁଖରେ ସମତା ଆସିବା ପୂର୍ବରୁ ଯେଉଁମାନେ ସନ୍ନ୍ୟାସୀ ହୋଇଥାନ୍ତି, ସେମାନେ ବେଶୀ ଦୁଃଖ ସୁଖରେ ପଡ଼ିଥାନ୍ତି । ମନୁଷ୍ୟ ସବୁବେଳେ ପରର ସୁଖ ଓ ନିଜର ଦୁଃଖକୁ ଦେଖେ । ଗୃହୀ ଗୃହରେ ଥିବାବେଳେ ସନ୍ନ୍ୟାସ ଜୀବନକୁ ସୁଖମୟ ମନେକରେ । ପ୍ରକୃତରେ ଗୃହୀ ଓ ସନ୍ନ୍ୟାସୀ ଉଭୟଙ୍କଠାରେ ଦୁଃଖ ସୁଖ ସମାନ ଯନ୍ତ୍ରଣା ଦିଏ । ଗୃହୀ ପରସ୍ପର ସାହାଯ୍ୟ ଭିତରେ ଶରୀର ଯାତ୍ରା ନିର୍ବାହ କରେ । ସନ୍ନ୍ୟାସୀ କେବଳ ନିଜ ଉପରେ ନିର୍ଭର କରେ କହିଲେ ଚଳେ । ଗୃହୀ ଗୃହର ସମସ୍ତଙ୍କ ପାଇଁ ଯେପରି ଚିନ୍ତା କରେ, ସନ୍ନ୍ୟାସୀ ନିଜର ଦେହ ରକ୍ଷା ପାଇଁ ସେପରି ଚିନ୍ତା କରେ ।

 

ଯେଉଁ ଲୋକ ଦୁଃଖ ସୁଖକୁ ସମାନ ମନେକରି ଚଳିବାକୁ ଚେଷ୍ଟା କରେ, ତାହା ପକ୍ଷରେ ଗୃହୀ ହେବା ଓ ସନ୍ନ୍ୟାସୀ ହେବା ସମାନ । ଗୃହର ଯାବତୀୟ କର୍ମ, ମନ କଲେ ଆନନ୍ଦରେ କରିବ-। ଦୁଃଖ ସୁଖରେ ସମଦର୍ଶୀ ଗୃହୀ ପକ୍ଷରେ କୋଠାଘର, କୁଡ଼ିଆଘର ଓ ଗଛମୂଳ ସବୁ ସମାନ-। ସେ ଗୃହର କର୍ମ କଲାବେଳେ ନିଜକୁ ପରିଚାଳକ ମନେ କରେ ଏବଂ ଈଶ୍ଵରଙ୍କୁ ମାଲିକ ମନେ କରେ । ତେଣୁ ସେ କର୍ତ୍ତବ୍ୟ ଜ୍ଞାନରେ ସମସ୍ତ କର୍ମ କରିଯାଏ ।

 

ପୁଣି ସନ୍ନ୍ୟାସୀ ଜୀବନଠାରୁ ଗୃହୀ ଜୀବନ ଅଧିକତର ସୁଗମ । ସନ୍ନ୍ୟାସୀ ତାଙ୍କର କଠୋର ସନ୍ନ୍ୟାସ ଧର୍ମ ପାଳନ କରି ନ ପାରିଲେ ପତନ ଅବଶ୍ୟମ୍ଭାବୀ । ଶେଷରେ ସେ ଶଠ ସନ୍ନ୍ୟାସୀ ବୋଲି ସର୍ବତ୍ର ଘୃଣିତ ତଥା ଉପେକ୍ଷିତ ହୁଅନ୍ତି । ଗୃହୀ ନିଜର ଧର୍ମ ପାଳନ କରି ନ ପାରିଲେ ଅବଶ୍ୟ ଘୃଣିତ ହୁଅନ୍ତି କିନ୍ତୁ ଉପେକ୍ଷିତ ହୁଅନ୍ତି ନାହିଁ । ଆଉ ମଧ୍ୟ ସନ୍ନ୍ୟାସୀ ଉପଦେଶ ଦିଅନ୍ତି, ଗୃହୀ ଉପଦେଶକୁ କାର୍ଯ୍ୟରେ ପରିଣତ କରି ଆଦର୍ଶ ଦେଖାଇ ଦିଅନ୍ତି; ଯେଉଁ ଆଦର୍ଶକୁ ବଂଶ ପରମ୍ପରା ଅନୁସରଣ କରନ୍ତି । ଜନକ, ବଶିଷ୍ଠ ଓ ବ୍ୟାସ ପ୍ରଭୃତି ଗୃହୀ ହୋଇ ଯେଉଁ ଆଦର୍ଶ ରଖି ଯାଇଛନ୍ତି, ଆଜି ଆମ୍ଭମାନଙ୍କର ତାକୁ ଶ୍ରେୟ ମନେକରି ଚାଲିବା ଉଚିତ ।

 

୨ୟ–ସନ୍ନ୍ୟାସୀ ହେଲେ ଈଶ୍ଵରଙ୍କ ସହିତ ସମ୍ବନ୍ଧ ରଖିବାକୁ ସମୟ ଓ ସୁବିଧା ବେଶୀ ମିଳିବ । ଗୃହୀର ଗୃହଜଞ୍ଜାଳ ତାହା କରାଇ ଦେବ ନାହିଁ ।

 

୧ମ–ଈଶ୍ଵରଙ୍କ ସହିତ ସମ୍ବନ୍ଧ ରଖିବା ପାଇଁ ଗୃହୀ ଓ ସନ୍ନ୍ୟାସୀ ଉଭୟ ଉପଯୁକ୍ତ । ଏଥିପାଇଁ ମନର ସାଧନା କେବଳ ଆବଶ୍ୟକ, କାରଣ ଈଶ୍ଵର ଚାହାନ୍ତି ନିର୍ମଳ ମନ । ସେ ଚାହାନ୍ତି ନାହିଁ ପୋଷାକ, ସ୍ଥାନ ଓ ନିୟମ । ସାଧାରଣ ସନ୍ନ୍ୟାସୀମାନଙ୍କ ଅପେକ୍ଷା ଜନକାଦି ଗୃହୀମାନେ ଈଶ୍ଵରଙ୍କ ସହିତ ବେଶୀ ସମ୍ବନ୍ଧ ରଖିପାରିଥିଲେ । ଏହା ପୁରାଣରେ ଅଛି । ଈଶ୍ଵରଙ୍କ ବିଷୟ ଜାଣିବା ପାଇଁ ଗଭୀର ଚିନ୍ତା ଓ କଠୋର ସାଧନା ଆବଶ୍ୟକ । ସେଥିପାଇଁ ଗୃହ ଓ ଜଙ୍ଗଲ ସମାନ, ବରଂ ଗୃହ ପ୍ରଶସ୍ତ । ପୂର୍ବରୁ ଋଷିମାନେ ଆଶ୍ରମରୂପୀ ଗୃହ ମଧ୍ୟରେ ନିଜ ପରିବାର ସହିତ ରହି ଈଶ୍ଵର ଚିନ୍ତା କରୁଥିଲେ । ଯଦିବା କେହି ସନ୍ନ୍ୟାସୀ ହେଉଥିଲେ ସେ ପର୍ବତ ଗୁମ୍ପାରେ ରହି ବଣଜାତ ଫଳମୂଳ ଭକ୍ଷଣ କରୁଥିଲେ । ସେତେବେଳେ ଧାର୍ମିକ ରାଜା ଓ ଧନୀମାନେ ପର୍ବତ ଗୁମ୍ଫା ଖୋଳାଉଥିଲେ ଏବଂ ମରାମତି କରୁଥିଲେ । ଆଜି ସେସବୁ ସୁବିଧା ନାହିଁ କହିଲେ ଚଳେ ।

 

ପକ୍ଷାନ୍ତରେ ଗୃହସ୍ଥାଶ୍ରମ ପରେ ସନ୍ନ୍ୟାସାଶ୍ରମର ବ୍ୟବସ୍ଥା ବୈଦିକ ଯୁଗରୁ ପ୍ରଚଳିତ ଅଛି-। ଏହାର ଉଦ୍ଦେଶ୍ୟ, ଲୋକ ଆଦର୍ଶୀ ଗୃହୀ ହେଲା ପରେ ଈଶ୍ଵରଙ୍କ ସହିତ ସୁଦୃଢ଼ ସମ୍ପର୍କ ରଖି ପାରିବ । ସେତେବେଳେ ସେ ଈଶ୍ଵରଙ୍କ ବ୍ୟତୀତ ଅନ୍ୟମାନଙ୍କ ମମତା ଛାଡ଼ିଦେବ । ଯଦିବା ସେ ସଂସାରରେ କାମ କରିବ, ନିର୍ମଳ ଭାବରେ କରିବ । ଏହାକୁହିଁ ସନ୍ନ୍ୟାସ ଅବସ୍ଥାରେ ଲୋକ ବଣରେ ଥିଲେ ସନ୍ନ୍ୟାସୀ କୁହାଯିବ ଏବଂ ଗୃହରେ ଥିଲେ ମଧ୍ୟ ସନ୍ନ୍ୟାସୀ କୁହାଯିବ-। ସେତେବେଳେ ତାଙ୍କର ନିଜ ପର ଜ୍ଞାନ ହଜିଯିବ । ସେ ସମସ୍ତଙ୍କୁ ଈଶ୍ଵରଙ୍କ ସନ୍ତାନ ମନେ କରିବେ ଏବଂ ସମସ୍ତଙ୍କ ଗୃହକୁ ନିଜର ଗୃହ ମନେ କରିବେ, ଯଥା–ଭାରତରେ ମହାତ୍ମାଗାନ୍ଧୀ, ଉତ୍କଳରେ ଉତ୍କଳମଣି ଗୋପବନ୍ଧୁ ।

 

ସନ୍ନ୍ୟାସୀ ଅର୍ଥ ତ୍ୟାଗ । ମନ ଯେଉଁ ମନ୍ଦ ଗୁଣଦ୍ଵାରା ଅଶାନ୍ତ ଅନୁଭବ କରେ ଏବଂ ସର୍ବଦା ଚିନ୍ତିତ ରହେ, ସେହି ମନ୍ଦ ଗୁଣଗୁଡ଼ିକ ତ୍ୟାଗ କଲେ ଯଥେଷ୍ଟ ହେଲା । ମନ୍ଦଗୁଣହୀନ ମନ ଈଶ୍ଵରଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖିପାରେ । ଯେଉଁ ବ୍ୟକ୍ତି ମନର ଗୁଣଗୁଡ଼ିକ ତ୍ୟାଗ ନ କରି ଦେହର ଆଶ୍ରୟ ସ୍ଥଳ ଗୃହକୁ ତ୍ୟାଗକରେ, ସେ ଦୁଇ ଗୁଣ ଅଶାନ୍ତ ଅନୁଭବ କରେ । ଈଶ୍ଵର ମଧ୍ୟ ତାହାଠାରୁ ବହୁ ଦୂରରେ ରହିଯାନ୍ତି । ସେ ଶେଷରେ ଶଠ ସନ୍ନ୍ୟାସୀ ପାଲଟି ଯାଏ । ଅତଏବ ଯେଉଁବ୍ୟକ୍ତି ଗୃହରେ ଥାଇ ବିଷୟ-ଭୋଗ-ବାସନା ତ୍ୟାଗ କରି ନିର୍ଲିପ୍ତ ଚିତ୍ତରେ ଗୃହର କର୍ତ୍ତବ୍ୟଗୁଡ଼ିକ ପାଳନ କରୁଥାନ୍ତି, ସେ ପ୍ରକୃତ ସନ୍ନ୍ୟାସୀ ।

 

ତ୍ୟାଗରେ ଶାନ୍ତି ଓ ଭୋଗରେ ଅଶାନ୍ତି । ଗୃହରେ ଭୋଗ୍ୟ ବସ୍ତୁଗୁଡ଼ିକ ଆଖି ଆଗରେ ରଖି ସେଗୁଡ଼ିକରୁ ମନ ଫେରାଇବାର ଶିକ୍ଷା କରିହୁଏ । ଦୈନିକ କିଛି ସମୟ ନିର୍ଜନ ସ୍ଥାନରେ ବସି ତ୍ୟାଗ ଓ ଭୋଗର ପ୍ରଭେଦ ଚିନ୍ତା କଲେ କ୍ରମଶଃ ତ୍ୟାଗୀ ହୁଏ । ଏହିପରି ମନକୁ ଆୟତ୍ତ କରିପାରିଲେ ଲୋକ ଗୃହରେ ଥାଇ ପ୍ରକୃତ ସନ୍ନ୍ୟାସୀର ସୁଖଶାନ୍ତି ଅନୁଭବ କରିବ ।

 

କେହି କହିଥାନ୍ତି, “ଭୋଗରେ ଦୁଃଖ ସୁଖ ଉଭୟ ଅଛି କିନ୍ତୁ ତ୍ୟାଗରେ ସୁଖ ଆଦୌ ନାହିଁ”, ଏହା ଠିକ୍ ନୁହେଁ । କଣ୍ଢେଇଟିଏ ପାଇବାକୁ ଅଳି କରୁଥିବା ପିଲା କଣ୍ଢେଇ ନ ପାଇଲେ ଦୁଃଖ ଭୋଗ କରିବ ଏବଂ ପାଇ ଭାଙ୍ଗିଦେଲେ ତତୋଽଧିକ ଦୁଃଖ ଭୋଗ କରିବ । ପୁଣି କଣ୍ଢେଇ ପାଇବା ପୂର୍ବରୁ ଓ ଭାଙ୍ଗିଗଲା ପରେ ଯେତେ ଦୀର୍ଘ ସମୟ ଦୁଃଖ ଭୋଗ କରେ, ତାହା କଣ୍ଢେଇ ସହ ଖେଳିବା ସୁଖ ସମୟଠାରୁ ଢେର ବେଶୀ । ଯଦି କହେ, “ଯେତେ ଅଳ୍ପ ସମୟ ହେଉ ସୁଖ ତ ପାଇଲା ।” ତାହାର ଉତ୍ତରରେ କୁହାଯାଇ ପାରେ; ନାଟକରେ ରାଜାରାଣୀ ବେଶଧାରୀ ଦରିଦ୍ର ଯୁବକ କମ୍‍ ସମୟ ପାଇଁ ବହୁ ଲୋକଙ୍କ ସମ୍ମୁଖରେ ସୁଖ ଭୋଗ କରେ ନାହିଁ କି ? ଚପଳମତି ବାଳକ ସ୍ଵୀୟ କଳ୍ପନା-ରାଜ୍ୟର ରାଜସିଂହାସନରେ ବସି (ମୁଁ ଅମୁକେଇ ରାଜା ବା ଧନୀପରି ହୁଅନ୍ତି କି ?) ମୁହୂର୍ତ୍ତକ ପାଇଁ ବିପୁଳ ଐଶ୍ଵର୍ଯ୍ୟ ଭୋଗ କରେ ନାହିଁକି ? ଅର୍ଦ୍ଧ ସୁପ୍ତ ମାନବ ସ୍ଵପ୍ନ ରାଜ୍ୟରେ ବିଚରଣ କରି କ୍ଷଣକାଳ ପାଇଁ ମନଲାଖି ସୁଖ ଭୋଗ କରେ ନାହିଁକି ? କିନ୍ତୁ କେଉଁ ଯୁବକ, କେଉଁ ବାଳକ ଓ କେଉଁ ସୁପ୍ତ ମାନବ ଭକ୍ତ ପ୍ରକାରେ ନିଜକୁ ପ୍ରକୃତ ସୁଖୀ ମନେ କରେ ?

 

ତ୍ୟାଗରେ ଅଭ୍ୟସ୍ତ ହେବା ପରେ ଦୁଃଖର ଅବସାନ ଘଟେ । ସେହି ଅବସ୍ଥାକୁ ସୁଖ କହନ୍ତି । ଏହା ଇନ୍ଦ୍ରିୟ ସୁଖଠାରୁ ଯଥେଷ୍ଟ ଅଧିକ । ସେ ସୁଖ କିପରି ? ସଦା ପ୍ରଫୁଲ୍ଲତା, ଦୁଃଖ ବା ସୁଖରେ ଅବିଚଳିତତା ଓ ବୃଶ୍ଚିକ-ଦଂଶନ-ସଦୃଶ ତୀବ୍ର ଜ୍ଵଳା ଦାୟିନୀ ମୁଦ୍ରାର ଅତିରିକ୍ତ ଚିନ୍ତାଠାରୁ ଦୂରରେ ଅବସ୍ଥିତ ଅତଏବ ଦୃଢ଼ତାର ସହିତ ଶତବାର କୁହାଯାଇପାରେ ଯେ; ତ୍ୟାଗହିଁ ସୁଖ, ତ୍ୟାଗହିଁ ଶାନ୍ତି, ତ୍ୟାଗହିଁ କର୍ତ୍ତବ୍ୟ, ତ୍ୟାଗହିଁ ଧର୍ମ ଓ ତ୍ୟାଗହିଁ ଈଶ୍ଵରଙ୍କ ନଅର ଫାଟକ ସ୍ୱରୂପ । ଏଣୁ ଏହି ତ୍ୟାଗକୁ ଆଶ୍ରୟ କରି ଗୃହରେ ରହିବା ସବୁଠାରୁ ବେଶୀ ଲାଭ ଦାୟକ ।

 

ହେଉ, ଆଜି ଏତିକି ଥାଉ । ସଂସାରରେ ଚଳିବା ବିଷୟରେ ଓ ଈଶ୍ଵରଙ୍କୁ ପାଇବା ପୂର୍ବରୁ ଯେଉଁ ଗୁଣଗୁଡ଼ିକ ଆବଶ୍ୟକ, ସେସବୁ ବିଷୟରେ ଅତି ସଂକ୍ଷେପରେ କେତେକ କଥା କହିଲି । କାଲି ଆସ, ଈଶ୍ଵରଙ୍କ ବିଷୟ ଆଲୋଚନା କରିବା ।

Image

 

ତୃତୀୟ ଅଧ୍ୟାୟ (ଈଶ୍ଵର)

 

୨ୟ–ମୋର ଈଶ୍ଵରଙ୍କ କାର୍ଯ୍ୟ ବିଷୟରେ ଏବଂ ଈଶ୍ଵରଙ୍କୁ ପାଇବା ବିଷୟରେ ଘୋର ସନ୍ଦେହ ଆସୁଛି । ଦୟାକରି ମୋର ସନ୍ଦେହ ଦୂର କରନ୍ତୁ ।

 

୧ମ–ଯୁବକର ମନ ସ୍ଵଭାବତଃ ଚଞ୍ଚଳ । ପୁଣି ସେହି ଯୁବକବେଳେ ବା ପ୍ରୋଢ଼ାବସ୍ଥାରେ ଧର୍ମଜ୍ଞାନ, ନିଜର ନିତ୍ୟସୁଖ ଓ ଈଶ୍ଵର ବିଷୟରେ କର୍ତ୍ତବ୍ୟ ସ୍ଥିର କରିବାକୁ ପଡ଼େ । ମନ ସଦ୍ୟସୁଖ ଚାହେଁ, କିନ୍ତୁ ଈଶ୍ଵରଙ୍କ ସମ୍ପର୍କରେ ଆପାତ ମଧୁରତା ଖଟେ ନାହିଁ । ସେଠାରେ ସମ୍ପୂର୍ଣ୍ଣ ଓଲଟା । ଆଗେ କଷ୍ଟ, ପଛେ କୃଷ୍ଣ । ସଂସାରର କୌଣସି ମୂଲ୍ୟବାନ ବସ୍ତୁ ପାଇବାକୁ ଇଚ୍ଛା କଲେ ଆଗେ କଷ୍ଟ ଦରକାର । ଧରିନିଅ, ଖଣ୍ଡେ ସୁନ୍ଦର ଲୁଗା ପାଇବାକୁ ଚାହୁଁଛ । ଆଗେ ପରିଶ୍ରମ କରି ଟଙ୍କା ଅର୍ଜନ କର, ତାହାପରେ ଲୁଗା କିଣିବାକୁ ଦୋକାନକୁ ଯାଅ । ମନଲାଖି ବାଛି ଲୁଗା ଆଣ । ତୁମ୍ଭେ ଏପରି ନ କରି ଯଦି ଖାଲି କହିବ ଏହି ଲୁଗା ହୁଅନ୍ତା କି ? ତାହାହେଲେ କ’ଣ ଲୁଗା ମିଳିବ ?

 

ସଂସାରର ପ୍ରତ୍ୟେକ ବସ୍ତୁଠାରୁ ଈଶ୍ଵର ନିଶ୍ଚୟ ଅଧିକ ମୂଲ୍ୟବାନ । ଏହା ଜଣାଶୁଣା କଥା ଯେ, ଯେତେ ଅଧିକ ମୂଲ୍ୟବାନ୍‍ ବସ୍ତୁ ଚାହିଁବ ତେତେ ଅଧିକ ଶ୍ରମ ଓ ଧନ ବ୍ୟୟ କରିବାକୁ ପଡ଼ିବ । ଈଶ୍ଵରଙ୍କୁ ପାଇବାକୁ ହେଲେ ପ୍ରଥମେ ନିଜ ମନକୁ ସଂଯମ କରିବାକୁ ପଡ଼ିବ । ଦ୍ଵିତୀୟରେ ଈଶ୍ଵରଙ୍କ ସନ୍ତାନମାନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଇବାକୁ ପଡ଼ିବ । ଯେଣୁ ସନ୍ତାନମାନଙ୍କୁ ଭଲ ପାଇଲେ ସେମାନଙ୍କ ପିତାମାତା ଭଲ ପାଆନ୍ତି । ତୃତୀୟରେ ଈଶ୍ଵରଙ୍କ କାର୍ଯ୍ୟ ବିଷୟରେ ଗଭୀର ଚିନ୍ତା କରିବାକୁ ହେବ । ଶେଷରେ ସେହି ଈଶ୍ଵରଙ୍କ ସହିତ ସମ୍ପର୍କ ରଖିଲେ ଚିର ସୁଖଶାନ୍ତି ମିଳିବ, ଏହା ସ୍ଥିର କରି ଦୃଢ଼ ବିଶ୍ଵାସ ରଖି କାମ କରିବାକୁ ହେବ ।

 

ଈଶ୍ଵରଙ୍କୁ ପାଇବାକୁ ଇଚ୍ଛା କରୁଥିବା ଲୋକର ସମ୍ମୁଖରେ ଅନେକ ପ୍ରକାର ସନ୍ଦେହ ଉପସ୍ଥିତ ହୁଏ । ସେ ଗଭୀର ଚିନ୍ତାର ଆଶ୍ରୟ ନେଇ ସନ୍ଦେହଗୁଡ଼ିକ ଦୂର କରେ ଏବଂ ସଂସାରର ପ୍ରତ୍ୟେକ କାର୍ଯ୍ୟ ଭିତରେ ଈଶ୍ଵରଙ୍କୁ ପାଇବାକୁ ଚେଷ୍ଟା କରେ । ସନ୍ଦେହଗୁଡ଼ିକ ଯଥା–(୧) ଭୋଗର ସୁଖ ବେଶୀ ମଧୁର କି ତ୍ୟାଗର ସୁଖ ବେଶୀ ମଧୁର ? (୨) “ମୁଁ”ର ଅର୍ଥ ନିଜ ଦେହ କି ଦେହ ମଧ୍ୟସ୍ଥିତ ଅନ୍ୟ କିଛି ? (୩) ଅଭ୍ୟାସ ବା ସାଧନାଗୁଡ଼ିକ ମୋ ଶକ୍ତିରେ ସମ୍ଭବପର କି ନୁହେଁ-? (୪) ମନୁଷ୍ୟର ମୃତ୍ୟୁ ପରେ କିଛି ରହେ କି ନାହିଁ ? ଥିଲେ ତାହାର ପୁଣି ଜନ୍ମ ଅଛି କି ନାଁ-? (୫) ଈଶ୍ଵର ଅଛନ୍ତି କି ନାଁ ? ତାଙ୍କୁ ପାଇବାର ଆମର ଲାଭ କଅଣ ? ଇତ୍ୟାଦି ।

 

ଏହି ସନ୍ଦେହଗୁଡ଼ିକର ଯଥାର୍ଥ ଉତ୍ତର ଅବଶ୍ୟ ଆମ୍ଭମାନଙ୍କ ଧର୍ମଶାସ୍ତ୍ରରେ ଅଛି । ଏଠାରେ ସେଗୁଡ଼ିକ ମୀମାଂସା କରିବା ସମ୍ପୂର୍ଣ୍ଣ ଇଚ୍ଛା ନୁହେଁ, ଟିକିଏ ଆଭାସ ଦେଇ କ୍ଷାନ୍ତ ହେବାର ଇଚ୍ଛା । ଯଦି, ଉକ୍ତ ସନ୍ଦେହଗୁଡ଼ିକ ଆଖି ଆଗରେ ଦେଖାଇ ବୁଝାଇ ଦିଆଯିବ ଅର୍ଥାତ୍‍ ଈଶ୍ଵରଙ୍କୁ ଆଣି ତୁମ୍ଭ ଆଖି ଆଗରେ ରଖି ତୁମ୍ଭଙ୍କୁ ଧରିବାକୁ କୁହାଯିବ, ତେବେ କହ ଦେଖି ତୁମ୍ଭେ କ’ଣ କରିବ ? ଅଧିକାଂଶ ଉତ୍ତର ଦେଇ ପାରନ୍ତି, “ମୁଁ ଆତ୍ମସମର୍ପଣ କରିଦେବି ।” ହଁ, ସେମାନଙ୍କୁ ଏତିକି କୁହାଯାଇ ପାରେ; ଏହା ସେମାନଙ୍କ ବାକ୍‍ ଚତୁରତା ନାଁ ପ୍ରକୃତ କାର୍ଯ୍ୟଦକ୍ଷତା । କାହିଁକି ନାଁ, ଯାହା ଦୁଷ୍ପ୍ରାପ୍ୟ ମନୁଷ୍ୟ ତାକୁ ଝୁରୁଥାଏ କିନ୍ତୁ ଯେଉଁ ଅଧିକତର ମୂଲ୍ୟବାନ୍‍ ପଦାର୍ଥ ପାଖରେ ଥାଏ ତାକୁ ପଚାରେ ନାହିଁ । ଉଦାହରଣ ସ୍ୱରୂପ ନିଜର ବାପମା ଜୀବନ ଥିବାବେଳେ ପୁଅଝିଅମାନେ ଭକ୍ତି କରନ୍ତି ନାହିଁ, ମରିଗଲେ ଝୁରି ହୁଅନ୍ତି । ଆଉ ମଧ୍ୟ ଦାନ୍ତ ପଡ଼ିଗଲା ପରେ ଦାନ୍ତର ଗୁଣ ଜଣାପଡ଼େ ।

 

ମନୁଷ୍ୟର ମରିବା ତ ନିଶ୍ଚିତ, ଏହା ଆଖି ଆଗରେ ପ୍ରମାଣିତ । ଏପରି ସ୍ଥଳେ ଆଜି କାହିଁକି ଏତେ ଅତ୍ୟାଚାର, ଅସତ୍‍ କାର୍ଯ୍ୟରେ ହସ୍ତକ୍ଷେପ ଓ ଅନ୍ୟାୟ ଉପୟାରେ ଧନସଞ୍ଚୟ ? ବାପା ମରିଗଲେ ସେ ତ କଦାପି ଫେରିବେ ନାହିଁ; ତାଙ୍କୁ ଝୁରି ହୋଇ କାନ୍ଦି କାନ୍ଦି ଅସ୍ଥିର ହେବାର ଫଳ କଅଣ ? ତାହାହେଲେ ସନ୍ଦେହ ଦୂର ହେଲେ କି ଫଳ ? ସନ୍ଦେହ ଦୂର ମୁଖ୍ୟ ନୁହେଁ, ଗୌଣ ମାତ୍ର । ମୁଖ୍ୟ ହେଉଛି ସାଧନାର କଷ୍ଟ ସହିଷ୍ଣୁତା । ସନ୍ଦେହ ଗୋଟିଏ ବାହାନା ମାତ୍ର । ଏହା କହିବାର ଉଦ୍ଦେଶ୍ୟ ଆତ୍ମସମର୍ପଣ କରିଦେବା ସହଜ ନୁହେଁ । ସେତେବେଳେ ପିତା ମାତା, ପୁତ୍ର କନ୍ୟା, ଘରଦ୍ଵାର ଓ ଦାସଦାସୀ ପ୍ରଭୃତିର ମମତା ଛାଡ଼ିବାକୁ ହେବ । ଏହି ମମତା ଛାଡ଼ିବା ବଡ଼ କଷ୍ଟ । ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ସୁରଥ ରାଜା ଓ ବୈଶମ୍ପାୟନ ବୈଶ୍ୟ ନାନା କାରଣରୁ ବାଧ୍ୟ ହୋଇ ନିଜ ଘରଦ୍ଵାର ଛାଡ଼ି ବଣରେ ବୁଲି ସନ୍ନ୍ୟାସପରି ଚଳିଲେ, କିନ୍ତୁ ଘରର ତଥା ଆତ୍ମୀୟସ୍ଵଜନମାନଙ୍କ ମମତାରେ ବିଚଳିତ ହୋଇ ପଡ଼ିଲେ ।

 

ପୂର୍ବୋକ୍ତ ପାଞ୍ଚଟି ପ୍ରଶ୍ନ ସମାହିତ ହେବ, ଯଦି ପ୍ରତି ପ୍ରଶ୍ନ ବିଷୟରେ ଗଭୀର ଚିନ୍ତା ନେଇ ବିଚାର କରାଯାଏ । ଏ ମୀମାଂସା ଏକ ଦିନରେ ବା ଏକ ମାସରେ ହେବ ନାହିଁ । ପୁଣି ସମସ୍ତଙ୍କ ପକ୍ଷରେ ସମୟ ସମାନ ନୁହେଁ । ଯେତିକି, ମୀମାଂସିତ ହୋଇଗଲା ସେତିକି କାର୍ଯ୍ୟରେ ପରିଣତ କରିବା ହେଉଛି ବଡ଼ କଥା ।

 

(୧) ଭୋଗରେ ତୃପ୍ତି ନାହିଁ, ତ୍ୟାଗରେ ଅତୃପ୍ତି ନାହିଁ; ଏହା ଦୈନିନ୍ଦିନ କାର୍ଯ୍ୟରେ ପ୍ରମାଣିତ । ଉଦାହରଣ ସ୍ୱରୂପ ପାନଚର୍ବଣ, ମାଂସଭୋଜନ । ଏକାବେଳକେ କେତେ ଗୋଟା ପାନ ଖାଇଲେ ବା କେତେ ମାଂସ ଭୋଜନ କଲେ ଆଉ ଖାଇବାକୁ ଇଚ୍ଛା ହେବ ନାହିଁ ? ପୁଣି ଥରେ ଅତୃପ୍ତ ମନରେ ସେହି ପଦାର୍ଥ ପାଇବା ପାଇଁ ଚେଷ୍ଟା କରିବ ନାହିଁ ? ତାହାହେଲେ ଭୋଗରେ ତୃପ୍ତି କାହିଁ ? ପକ୍ଷାନ୍ତରେ ଯେ ପାନ ନ ଖାଏ, ଯେ ମାଂସ ନ ଖାଏ ତାହାର ଅତୃପ୍ତି କାହୁଁ ଆସିବ ? ଯେଣୁ ତାହାର ସେହି ପଦାର୍ଥଗୁଡ଼ିକରେ କାମନା ନାହିଁ । କାମନାହିଁ ଅତୃପ୍ତ ଏବଂ ଅଶାନ୍ତି, ଈଶ୍ଵରଙ୍କ ନଅରର ଦ୍ଵାରରେ ପଡ଼ିଥିବା ଚାବି । ଅତଏବ ଏହି କାମନାଠାରୁ ଯେତେ ଦୂରରେ ରହିବ, ସୁଖର ତେତେ ଅଧିକାରୀ ହେବ ।

 

(୨) ‘ମୁଁ ର ଅର୍ଥ ଦେହ । ଏହା କିପରି ଭୁଲ; ଟିକିଏ ଚିନ୍ତା କଲେ ଜାଣିହେବ । ଲୋକ ମରିଗଲାପରେ ଅଚେତ ହୋଇଯାଏ । ଦେହତ ଥାଏ; କିଛି କାମ କରିପାରେ କି ? ଯାହା ଚାଲିଗଲାପରେ ଦେହର ‘ମୁଁ’ କହିବା ଶକ୍ତି ଚାଲିଯାଏ, ତାହା ହିଁ ‘ମୁଁ’ ବା ଆତ୍ମା । ମନୁଷ୍ୟ ଏହା ଜାଣି ସୁଦ୍ଧା କୋମଳ ଶଯ୍ୟାରେ ଶୋଇ “ମୁଁ ସୁଖରେ ଶୋଇଲି” କହେ, ପୁଣି ଅଧିକତର କୋମଳ ଶଯ୍ୟା ପାଇଁ ବ୍ୟାକୁଳ ହୁଏ । ଇନ୍ଦ୍ରିୟଗୁଡ଼ିକ ଅତିରିକ୍ତ ସୁଖରେ ରଖି ଲାଭ କଅଣ ? ଅବଶ୍ୟ ଦେହ ନଷ୍ଟ ନ ହେବା ପାଇଁ ଯେତିକି ଦରକାର ସେତିକି କରିବାକୁ ହେବ । “ମୁଁ”ର ଉତ୍ତମ ଅର୍ଥ ଆତ୍ମା, ମଧ୍ୟମ ଅର୍ଥ ବିବେକ ଯୁକ୍ତ ମନ ଏବଂ ନିକୃଷ୍ଟ ଅର୍ଥ ଦେହ ।

 

(୩) ମନୁଷ୍ୟ ବାରମ୍ବାର ଚେଷ୍ଟା କଲେ କେଉଁ ଅଭ୍ୟାସଟା ସାଧି ନ ହେବ ? ଆମ୍ଭେମାନେ ତ ଦେଖୁଛନ୍ତି ଏବଂ ବିଶ୍ଵାସ ଯୋଗ୍ୟ ଖବରରେ ଶୁଣୁଛନ୍ତି, କେତେ କେତେ ଲୋକ ଅତି ଅଦ୍ଭୁତ ଧରଣ ଅଭ୍ୟାସଗୁଡ଼ିକରେ କୃତକାର୍ଯ୍ୟ ହୋଇଛନ୍ତି । କ୍ରୀଡ଼ା ଚକ୍ରରେ ଅବଳାମାନଙ୍କର ଆଶ୍ଚର୍ଯ୍ୟଜନକ କ୍ରୀଡ଼ାମାନ, ଅଧିକ ପରିମିତି କୌଣସି ମାଦକ ଦ୍ରବ୍ୟ ସେବନ, ଅଧିକ ପରିମିତ ଜଳପାନ ଓ ଦୈନିକ ଅଧିକ ଶାରୀରିକ ପରିଶ୍ରମ ପ୍ରଭୃତିର ମୂଳରେ ଏହି ଅଭ୍ୟାସ ଅଛି । ସେଗୁଡ଼ିକ କଅଣ ପ୍ରଥମେ ଦେହ ଓ ମନ ପକ୍ଷରେ କଷ୍ଟକର ହୋଇ ନ ଥିଲା ?

 

ସତ୍‍କାର୍ଯ୍ୟ ଓ ସତ୍‍ଗୁଣର ଅଭ୍ୟାସ ବେଶୀ କଷ୍ଟକର । ବେଶୀ ଜିଦ୍‍ ନ ଆଣିଲେ ହେବ ନାହିଁ । ବୁଦ୍ଧଦେବ କହିଥିଲେ “କଷ୍ଟରେ ମୋର ମାଂସ, ଚର୍ମ ଓ ହାଡ଼ ପଛେ ମିଳାଇ ଯାଉ; ମୁଁ ମୋର ସାଧନା ଛାଡ଼ିବି ନାହିଁ । ଲକ୍ଷ୍ୟ ସ୍ଥଳରେ ନିଶ୍ଚୟ ପହଞ୍ଚିବି ।” ମହାତ୍ମା ଗାନ୍ଧୀ ବହୁ ବର୍ଷ ଧରି ଗାଳି, ମାଡ଼ ଓ କାରାଦଣ୍ଡ ବରଣ କରି ନିଜ ମାତୃଭୂମିର ସ୍ଵାଧୀନତା ଫେରାଇ ଆଣିବାକୁ ଯେଉଁ ଜିଦ୍‍ ଧରିଥିଲେ, ତାହା କାହାରିକୁ ଅବିଦିତ ନାହିଁ । ଏହିପରି ଜିଦ୍‍ ଧରି ପ୍ରଥମରେ କଷ୍ଟ ସହିଲେ ଅଭ୍ୟାସ କ୍ରମଶଃ ଦୃଢ଼ ହୋଇଯିବ ଏବଂ ଶେଷରେ ଅମୃତଫଳ ଦେବ ।

 

(୪) ମନୁଷ୍ୟ ମରିଗଲା ପରେ ଦେହଟି ପଡ଼ିରହେ କିନ୍ତୁ ହଲଚଲ ହୁଏ ନାହିଁ କାହିଁକି ? ନିଶ୍ଚୟ ଦେହ ମଧ୍ୟରୁ ଗୋଟିଏ କିଛି ପଦାର୍ଥ ଚାଲି ଯାଇଛି, ଅଥଚ ତାକୁ କେହି ଦେଖିପାରି ନାହାନ୍ତି-। ଦେହ ବୋଲି ଯାହା ରହିଲା ତାହାତ ପୃଥିବୀ, ଜଳ, ଅଗ୍ନି, ପବନ ଓ ଆକାଶ ଏହି ପଞ୍ଚଭୂତର ସମଷ୍ଟି । ଏହି ପଞ୍ଚଭୂତ ବିରାଟ ପାଞ୍ଚଭୂତରେ ମିଶିଯିବ । କିନ୍ତୁ ଅଦୃଶ୍ୟମାନ ଅତି ସୂକ୍ଷ୍ମ ପଦାର୍ଥଟି (ଯାହା ବାହରି ଯିବାରୁ ମୃତ୍ୟୁ ଘଟିଲା) କେଉଁ ଭୂତରେ ମିଶିବ ? କିଏ କାହା ସହିତ ମିଶେ-? ରୂପ, ଆକାର ଓ କାର୍ଯ୍ୟ ଯାହାର ଯାହା ସହିତ ସମାନ ଥାଏ । ଅତଏବ ଦେହରୁ ନିର୍ଗତ ସୂକ୍ଷ୍ମତମ ପଦାର୍ଥ (ଆତ୍ମା) କାହରି ସହିତ ନ ମିଶି ନିଶ୍ଚୟ ସ୍ଵତନ୍ତ୍ର ରହିବ । କିଛି ଦିନ ସ୍ଵତନ୍ତ୍ର ରହିବା ପରେ ତାହାର ଯେଭଳି ସ୍ଥାନରେ ବାସ କରିବା ଚିର ଅଭ୍ୟାସ, ସେ ସେପରି ସ୍ଥାନ ଅର୍ଥାତ୍‍ ଆଉ ଗୋଟିଏ ଦେହ ଅନ୍ଵେଷଣ କରିବ ଏବଂ ସେଥିରେ ଯାଇ ରହିବ । ଏହି ଆତ୍ମା ଆକାଶ, ବୃଷ୍ଟିଜଳ ଓ ଫଳମୂଳ ପ୍ରଭୃତି ବାଟ ଦେଇ ପୁଣି ମାତୃଗର୍ଭରେ ଆଶ୍ରୟ ନିଏ ବୋଲି କେତେକ ବୈଜ୍ଞାନିକ ପଣ୍ଡିତ କହନ୍ତି-

 

ଯଦି କେହି କହେ, ଏହି ବିରାଟ ସୂକ୍ଷ୍ମତମ ପଦାର୍ଥ ଈଶ୍ଵରଙ୍କ ସହିତ ମିଶିଯିବ । ତାହାର ଉତ୍ତରରେ କୁହାଯାଇ ପାରେ, ହଁ ମିଶନ୍ତା ଯଦି ମରିବା ପୂର୍ବରୁ ତାହାର କାର୍ଯ୍ୟକଳାପ ଈଶ୍ଵରଙ୍କ କାର୍ଯ୍ୟପରି ହୋଇଥାନ୍ତା । ଯାହାଙ୍କ କାର୍ଯ୍ୟ ଈଶ୍ଵରଙ୍କ କାର୍ଯ୍ୟପରି ସତ୍‍ ଓ ନିର୍ମଳ, ତାହାଙ୍କର ମୃତ୍ୟୁ ପରେ ତାହାଙ୍କର ଆତ୍ମା ଈଶ୍ଵରଙ୍କ ପାଖକୁ ଯାଇ ମିଶିଯିବ କିମ୍ବା ନିକଟବର୍ତ୍ତୀ ହୋଇ ରହିବ ।

 

(୫) ଈଶ୍ଵର ନିଶ୍ଚୟ ଅଛନ୍ତି । ସେ ସବୁଠାରେ ଅଛନ୍ତି ଏବଂ ସବୁ କରିପାରନ୍ତି । ଏହା ଆଜି ପୃଥିବୀର ସବୁପ୍ରକାର ଧର୍ମଶାସ୍ତ୍ର ସ୍ଵୀକାର କରେ । ଯେଉଁ ମାନବ ଏହା ସ୍ଵୀକାର ନ କରେ, ତାହାର କୌଣସି ସୁଚିନ୍ତିତ ଧର୍ମ ନାହିଁ, କହିବାକୁ ହେବ । ବିରାଟ ଆକାଶରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଓ ନକ୍ଷତ୍ରାଦିରେ ପ୍ରତି ମୁହୂର୍ତ୍ତର କାର୍ଯ୍ୟ, ପୃଥିବୀରେ ଆଖି ଆଗରେ ଘଟୁଥିବା ଯାବତୀୟ କାର୍ଯ୍ୟ ଓ ନିଜ ଦେହ ମଧ୍ୟସ୍ଥିତ ଶିରା, ପ୍ରଶିରା, ରକ୍ତ ମାଂସ ଓ ପାକସ୍ଥଳୀରେ ଘଟୁଥିବା କାର୍ଯ୍ୟଗୁଡ଼ିକୁ ଏକାଗ୍ରଚିତ୍ତରେ ନିରୀକ୍ଷଣ କଲେ ଏବଂ ଗଭୀର ଚିନ୍ତାର ସହିତ ଆଲୋଚନା କଲେ, ଈଶ୍ଵରଙ୍କ ଅସ୍ତିତ୍ଵ ଓ ଶକ୍ତି ସ୍ପଷ୍ଟ ଅନୁଭୂତ ହେବ । ଏହି ଜ୍ଞାନ ଦୃଢ଼ ହୋଇଗଲା ପରେ ଈଶ୍ଵର ସବୁବେଳେ ଆଖି ପାଖରେ ରହନ୍ତି ।

 

ଈଶ୍ଵରଙ୍କୁ ପାଇବା ପରେ ଲୋକର ଆଉ କିଛି ଅଭାବ ରହେ ନାହିଁ । ଆମେ ଯେଉଁ ସାଂସାରିକ ଦୁଃଖ, ଯନ୍ତ୍ରଣା, ଚିନ୍ତା, ହିଂସା ଓ କାମନାର ବଶବର୍ତ୍ତୀ ହୋଇ ସର୍ବଦା “ହା ହତୋଽସ୍ମି, ହା ହତୋଽସ୍ମି” ହେଉଛନ୍ତି; ଈଶ୍ଵରଙ୍କ ନିକଟରେ ରହିଲେ ସେଗୁଡ଼ିକ କୁଆଡ଼େ ଚାଲିଯିବ । ସେତେବେଳେ ଆମେ ଅକୁଣ୍ଠିତ ଚିତ୍ତରେ ଈଶ୍ଵରଙ୍କ କଠୋର ନିୟମଗୁଡ଼ିକ ଯନ୍ତ୍ରବତ୍‍ ପାଳନ କରି ଚାଲିଯିବା । ଈଶ୍ଵରଙ୍କ ନିକଟ କହିଲେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ବୁଝାଏ ନାହିଁ, ଯେଣୁ ଈଶ୍ଵର ସର୍ବତ୍ର ବିଦ୍ୟମାନ ।

 

ଆମେ କଠୋର ସାଧନା ଓ ଦୃଢ଼ ବିଶ୍ଵାସ ବଳରେ ନିଜକୁ ତିଆରି କରି ନେବାର ଜାଣିଲାକ୍ଷଣି ଈଶ୍ଵର ସର୍ବଦା ଆମ ନିକଟରେ ରହି ଦେଖା ଦିଅନ୍ତି । ବୃଦ୍ଧମାନେ ନିକଟରେ ଥିବା ପୁସ୍ତକ ଅକ୍ଷରକୁ ଚକ୍ଷୁଦୋଷରୁ ପଢ଼ି ପାରନ୍ତି ନାହିଁ । ଚକ୍ଷୁରେ ଚଷମା ଦେଲାକ୍ଷଣି ପରିଷ୍କାର ପଢ଼ି ପାରନ୍ତି । ସେହିପରି ଆଧ୍ୟାତ୍ମିକ ଜ୍ଞାନ ଅଭାବରୁ ଆମେ ନିକଟରେ ଥିବା ଈଶ୍ଵରଙ୍କୁ ଦେଖିପାରନ୍ତି ନାହିଁ । ଜ୍ଞାନ ଦୃଢ଼ ହେଲାକ୍ଷିଣ ଈଶ୍ଵର ଆମ ପାଖକୁ ଭିଡ଼ି ରହିଥିବାର ଦେଖାଯାନ୍ତି । ସାକାରବାଦୀମାନେ ମଧ୍ୟ ଜ୍ଞାନ ଦୃଢ଼ ହେଲାକ୍ଷିଣ ଚାହିଁବାମାତ୍ରେ ଈଶ୍ଵରକୁ ଅଭିଳଷିତ ରୂପରେ ନିକଟରେ ଦେଖିବାକୁ ପାଆନ୍ତି ।

 

ଈଶ୍ଵର ଲାଭ ଦିନକର ହୁଏ ନାହିଁ । ଆଂଶିକ ଲାଭରେ ମଧ୍ୟ ଯଥେଷ୍ଟ ଆନନ୍ଦ ମିଳେ । ଉଦାହରଣ ସ୍ୱରୂପ ଜଣେ ଅପରିଚିତ ବ୍ୟକ୍ତି ସହିତ ମିତ୍ରତା ଦିନକରେ ହୁଏ ନାହିଁ । ପୁଣି ମିତ୍ରତା ଯେତିକି ଅଧିକ ହୁଏ, ସେହି ବ୍ୟକ୍ତିଠାରୁ ସେତିକି ଅଧିକ ଉପକାର ମିଳେ । ଆଉ ମଧ୍ୟ ମନେ ରଖିବାକୁ ହେବ ଯେ ଈଶ୍ଵର ଲାଭ ପାଇଁ ନିଜ ପରିବାର ଓ ନିଜ ଦେଶ ଛାଡ଼ି ଅନ୍ୟ ସ୍ଥାନକୁ ଯିବାକୁ ପଡ଼େ ନାହିଁ । ପାରିବାରିକ କର୍ମ ଭିତରେ ଈଶ୍ଵର ଦର୍ଶନ ତଥା ଈଶ୍ଵର ଲାଭ ସୁନିଶ୍ଚିତ । ପାରିବାରିକ କର୍ମ ଅର୍ଥାତ୍‍ ପିତାମାତା, ପୁତ୍ର କନ୍ୟାଙ୍କ ପାଳନକୁ ଈଶ୍ଵରାଦେଶ ମନେକଲେ ଆଉ କିଛି ଅଡ଼ୁଆ ରହିବ ନାହିଁ ।

 

ଈଶ୍ଵର-ଜ୍ଞାନ ଓ ଈଶ୍ଵରଙ୍କୁ ପାଇବା ଉଭୟ କଷ୍ଟକର ସାଧନା ବା ଅଭ୍ୟାସର ଫଳ । ଏହି ଅଭ୍ୟାସ ପ୍ରଥମେ କଷ୍ଟ ଦିଏ ପରେ ପ୍ରାର୍ଥନା ପୂରଣ କରେ । ଅଭ୍ୟାସ ହିଁ ଈଶ୍ଵରଙ୍କ ନଅରର ଦ୍ଵାରରକ୍ଷକ । ରାଜାଙ୍କ ପାଖକୁ ଯିବାକୁ ହେଲେ ଦ୍ଵାରରକ୍ଷକର ଧକ୍କା ଖାଇବାକୁ ପଡ଼େ । ଏହି ଧକ୍କା ଖାଇ କୁହ ନାହିଁ ଯେ, ରାଜାଙ୍କ ପାଖକୁ ଯାଇ କି ଫଳ ? ରାଜା ଅଛନ୍ତି କି ନାହାନ୍ତି ଠିକ୍‍ ନାହିଁ । ମୁଁ ଏଠାରୁ ଫେରିବି । ଯଦିବା ରାଜା ଥିବେ, ତାଙ୍କ ପାଖରେ ଏହାଠାରୁ ବଡ଼ ଧକ୍କା ଥାଇପାରେ । ନାଁ, ନାଁ ତାହା ନୁହେଁ; ରାଜାଙ୍କ ପାଖରେ ଭଦ୍ର ବ୍ୟବହାର ପାଇବ । ସେ ତ ଦୂରର କଥା, ଦ୍ଵାରରକ୍ଷକର ଧକ୍କା ସମ୍ଭାଳି ତାକୁ ହୃଦୟର ବ୍ୟାକୁଳତା ସୂଚକ ନମ୍ରତା ଦେଖାଅ; ସେ ପୁଣି କିପରି ବ୍ୟବହାର କରିବ ଦେଖିବ । ଈଶ୍ଵରଙ୍କ ପାଖକୁ ଯିବା ପାଇଁ କେବଳ ଲୋଡ଼ା ତୁମ୍ଭର ନମ୍ରତା, କଷ୍ଟସହିଷ୍ଣୁତା, ବ୍ୟାକୁଳତା ଓ ଧୈର୍ଯ୍ୟ । ଅଭ୍ୟାସ ବଳରେ ଏ ସବୁ ମିଳିପାରେ ।

 

ଭଲ ଗୁଣ ବେଶୀ ନ ଥିଲେ ଈଶ୍ଵର ଡାକ ଶୁଣିବେ ନାହିଁ ବୋଲି ଚୈତନ୍ୟ ଦେବ ତାଙ୍କ ଉପଦେଶରେ ଦୃଢ଼ରୂପେ କହିଛନ୍ତି । ପୁଣି କେଉଁ ଗୁଣ କେତେ ପରିମାଣରେ ରହିବା ଆବଶ୍ୟକ ସେ କେତୋଟି ଉଦାହରଣ ଦେଇ ସ୍ଥିର କରିଦେଇଛନ୍ତି । ଯଥା :–(୧) ନିଜକୁ ତୃଣଠାରୁ ନୀଚ ମନେ କର । (୨) ତରୁଠାରୁ ଅଧିକ ସହିଷ୍ଣୁ ହୁଅ । (୩) ବେଶୀ ମାନ ପାଇବାକୁ ଇଚ୍ଛା କର ନାହିଁ । (୪) ଅନ୍ୟମାନଙ୍କୁ ଅଧିକ ମାନ ଦିଅ ।

 

୨ୟ–ଗୁରୁଦେବ ! ଈଶ୍ଵର ସୂକ୍ଷ୍ମରୂପୀ ହୋଇ ସ୍ଥୂଳ ରୂପ ଧାରଣ କରନ୍ତି କିପରି ? ଅନୁଗ୍ରହ କରି ମୋର ଏ ସନ୍ଦେହ ଦୂର କରନ୍ତୁ ।

 

୧ମ–ଈଶ୍ଵର ବ୍ରହ୍ମାଣ୍ଡର ପ୍ରତି ପରମାଣୁରେ ସକ୍ରିୟ ଅବସ୍ଥାରେ ବିଦ୍ୟମାନ । ଈଶ୍ଵର ଯେଉଁ ସ୍ଥାନରେ ନ ରହିବେ, ସେ ସ୍ଥାନ ତିଷ୍ଠିବ ନାହିଁ । ପଞ୍ଚଭୂତ ମଧ୍ୟରୁ ପୃଥିବୀ ବେଶୀ ସ୍ଥୂଳ ପଦାର୍ଥ-। କେବଳ ପୃଥିବୀ କାହିଁକି, ପୃଥିବୀ ଜାତୀୟ ଗ୍ରହ, ନକ୍ଷତ୍ର ଓ ଉଲ୍‍କାଦିର ଦେହଗୁଡ଼ିକ ମଧ୍ୟ ସ୍ଥୂଳ ପଦାର୍ଥ । ଏ ସମସ୍ତ ପୃଥିବୀ ଭୂତର ଅନ୍ତର୍ଗତ । ତାହାହେଲେ ପୃଥିବୀ ଭୂତର ଅର୍ଥ, ଈଶ୍ଵର ସୃଷ୍ଟ ସ୍ଥୂଳତମ ପଦାର୍ଥଗୁଡ଼ିକ । ପୃଥିବୀ ଛଡ଼ା ବାକି ଚାରିଟି ଭୂତ କ୍ରମେ କ୍ରମେ ସୂକ୍ଷ୍ମରୁ ସୂକ୍ଷ୍ମତର ଅଟନ୍ତି, ଯଥା–ଜଳ, ଅଗ୍ନି, ବାୟୁ ଓ ଆକାଶ । ଆକାଶ ହିଁ ସୂକ୍ଷ୍ମତମ ଭୂତ ଅଟେ । ତେଣୁ ତାହା ମନୁଷ୍ୟର କୌଣସି ଇନ୍ଦ୍ରିୟଦ୍ଵାରା ଅନୁଭୂତ ହୁଏ ନାହିଁ । ଅବଶ୍ୟ ମନୁଷ୍ୟ ମନ ମଧ୍ୟରେ ଆକାଶର କଳ୍ପନା କରିପାରେ । ଆଉ ଗୋଟିଏ କଥା, ଯେଉଁ ଭୂତ ଯେତେ ଅଧିକ ସୂକ୍ଷ୍ମ, ସେହି ଭୂତ ତେତେ ଅଧିକ ସ୍ଥାନରେ ଅବସ୍ଥାନ କରେ ।

 

ଈଶ୍ଵର ଆକାଶଠାରୁ ଅଧିକତର ସୂକ୍ଷ୍ମ । ତେଣୁ ସେ ଆକାଶଠାରୁ ଅଧିକ ସ୍ଥାନରେ ରହି ଅଛନ୍ତି । ଆକାଶ ପରି ଈଶ୍ଵରଙ୍କ ଅବସ୍ଥିତକୁ ମନରେ କେବଳ କଳ୍ପନା କରି ହୁଏ । ତଥାପି କଷ୍ଟକର ଓ ଅଭ୍ୟାସ ସାପେକ୍ଷ ଅଟେ । ଏହି ଅଭ୍ୟାସ ଯେତେ ଦୃଢ଼ ହୁଏ, ଈଶ୍ଵରଙ୍କ ଅବସ୍ଥିତିରେ କଳ୍ପନା ତେତେ ସହଜ ହୁଏ । ସୂକ୍ଷ୍ମତମ ପଦାର୍ଥ ସ୍ଥୂଳ ପଦାର୍ଥରେ ଅଦୃଶ୍ୟ ଭାବରେ ରହିପାରେ । ଆକାଶ ଅନ୍ୟ ଚାରି ଭୂତରେ ଅଦୃଶ୍ୟ ଭାବରେ ରହିଅଛି । ଶୁଷ୍କ କାଷ୍ଠ ଖଣ୍ଡରେ ଗୋଟିଏ ଲୁହା କଣ୍ଟା ବାଡ଼ାଇଲେ ଗୋଟିଏ ଛିଦ୍ର ହୋଇଯାଏ । କାଷ୍ଠ ମଧ୍ୟରେ ଆକାଶ ଥିବାରୁ କଣ୍ଟା ବାଡ଼େଇବା ଦ୍ଵାରା କାଷ୍ଠର ଛିଦ୍ର ଅନ୍ତର୍ଗତ କାଷ୍ଠାଂଶ ଚାରିଆଡ଼କୁ ଚାପି ହୋଇଯାଏ । ଈଶ୍ଵର ଆକାଶଠାରୁ ସୂକ୍ଷ୍ମ ହେତୁ ସେ ସବୁ ଭିତରେ ଅଦୃଶ୍ୟ ଭାବରେ ରହିଛନ୍ତି ।

 

ଆଖି ଆଗରେ ଯାହାସବୁ ଦେଖିବାକୁ ମିଳୁଛି, ଈଶ୍ଵର ସେସବୁ ଭିତରେ ବିଦ୍ୟମାନ ଅଛନ୍ତି । ବ୍ୟାସଦେବଙ୍କ ବେଦାନ୍ତ୍ୟ ଦର୍ଶନରେ ଲେଖାଅଛି, “ଲୁଗାରେ ସୂତାପରି” । ଚଞ୍ଚଳ ଆଖିରେ ଦେଖିଲେ କେବଳ ଲୁଗା ଦେଖାଯିବ । ନିରୀକ୍ଷଣ କଲେ ଲୁଗା ଭିତରେ ଥିବା ସୂତା ଦେଖାଯିବ । ସୂତା ଥିବାରୁ ଲୁଗା କାର୍ଯ୍ୟକାରୀ ହୋଇ ପାରୁଛି । ସୂତାକୁ କାଢ଼ି ଆଣିଲେ ଲୁଗାର ସତ୍ତା ରହିବନାହିଁ-। ଠିକ୍‍ ସେହିପରି ଈଶ୍ଵର ସବୁ ପଦାର୍ଥରେ ରହିଥିବାରୁ ପଦାର୍ଥଗୁଡ଼ିକ କାର୍ଯ୍ୟକାରୀ ହୋଇ ପାରୁଛି-। ଈଶ୍ଵର ହେଉଅଛି ସୂତା, ଏ ବିଶ୍ଵ ବ୍ରହ୍ମାଣ୍ଡର ସମସ୍ତ ପଦାର୍ଥ ହେଉଛି ଲୁଗା । ଗଭୀର ଚିନ୍ତାର ସହିତ ନିରୀକ୍ଷଣ କଲେ ପ୍ରତ୍ୟେକ ପଦାର୍ଥରେ ଈଶ୍ଵର ଥିବାର ଜାଣିହେବ ।

 

ସୃଷ୍ଟିର ଯାବତୀୟ ଚେତନ ଓ ଅଚେତନ ପଦାର୍ଥର ପ୍ରତି ପରମାଣୁରେ ଈଶ୍ଵର ଅଛନ୍ତି । ସେ ସବୁଠାରେ ଥାଇ ସବୁ ପଦାର୍ଥକୁ କାର୍ଯ୍ୟ କରିବାର ଶକ୍ତି ଦେଉଛନ୍ତି ଏବଂ କିଏ କଅଣ କଲା, ଦେଖୁଛନ୍ତି । ଏଥିପାଇଁ ତାଙ୍କୁ ଘନ ଘନ ଆଦେଶ ଦେବାକୁ ପଡ଼େନାହିଁ । ତାଙ୍କୁ କୌଣସି ପଦାର୍ଥକୁ ଥରେ ଆଦେଶ ଦେବାକୁ ପଡ଼େ । ସବୁ ପଦାର୍ଥ ସେହି ଥରକ ଆଦେଶରେ ସୃଷ୍ଟିର ପ୍ରଳୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥାନ୍ତି । ଉଦାହରଣ ସ୍ୱରୂପ ଜଳକୁ ନିମ୍ନମୁଖୀ ହେବାକୁ ଈଶ୍ଵରଙ୍କ ଆଦେଶ ।

 

ଈଶ୍ଵର ପ୍ରଥମ ଭୂତ ଆକାଶକୁ ଆଗେ ସୃଷ୍ଟି କରି ତାହା ପରେ କ୍ରମେ କ୍ରମେ ସ୍ଥୂଳ ଭୂତଗୁଡ଼ିକ ସୃଷ୍ଟି କରିଛନ୍ତି । ଏହା ସବୁ ଧର୍ମର ମନୀଷୀମାନେ ସ୍ଵୀକାର କରନ୍ତି । ସୃଷ୍ଟିର ଅର୍ଥ ଈଶ୍ଵରଙ୍କ ବିଭିନ୍ନ ପ୍ରକାର ଶକ୍ତିର ମିଳନ । ଲେମ୍ବୁର ଶକ୍ତି ଓ ସୋରାର ଶକ୍ତିର ମିଳନରେ ଫେଣ ବାହାରେ । ଯଦି ଲେମ୍ବୁରୁ ଓ ସୋରାରୁ ଉକ୍ତ ଶକ୍ତି ଦୂର କରି ନେଇ ମିଶାଇ ଦିଆଯିବ, ତେବେ ଫେଣ ବାହାରିବ ନାହିଁ । ସେହିପରି ଈଶ୍ଵର ସୂକ୍ଷ୍ମ ଭୂତରେ ବିଭିନ୍ନ ଶକ୍ତି ରୂପରେ ରହି ପରସ୍ପର ମିଶ୍ରିତ ହୋଇ ସ୍ଥୂଳ ଭୂତ ସୃଷ୍ଟି କରନ୍ତି । ଏହି କାରଣରୁ ଈଶ୍ଵର ସ୍ଥୂଳତର ଜଳ ଓ ସ୍ଥୂଳତମ ପୃଥିବୀ ହୋଇ ପାରିଛନ୍ତି ।

 

ସୂକ୍ଷ୍ମ ରୂପ ସ୍ଥୂଳ ରୂପ ହେବା ଆଶ୍ଚର୍ଯ୍ୟ କଥା ନୁହେଁ । ଈଶ୍ଵରଙ୍କ ବିଷୟତ ବଡ଼ କଥା । ଛୋଟ ଛୋଟ କଥାରେ ମଧ୍ୟ ଏହା ସମ୍ଭବ ହୋଇ ପାରୁଛି । (କ) ନଦୀ, ପୁଷ୍କରିଣୀ ଓ ସମୁଦ୍ରରୁ ଉତ୍‍ଥିତ ସୂକ୍ଷ୍ମ ଜଳୀୟ ବାଷ୍ପରୁ ସ୍ଥୂଳ ମେଘ ତଥା ବୃଷ୍ଟିଜଳ ସୃଷ୍ଟି ହେଉଅଛି । (ଖ) ଉପନିଷଦର ଜଣେ ଋଷି ତାଙ୍କ ଶିଷ୍ୟକୁ ଏହା ବୁଝାଇବାକୁ ଯାଇ କହିଥିଲେ, “ବଟ ବୃକ୍ଷର କ୍ଷୁଦ୍ର ବୀଜଟିକୁ ଫଟାଇ ଦିଅ । ତନ୍ମଧ୍ୟରେ ଆକାଶପରି ଅଦୃଶ୍ୟମାନ ଶୂନ୍ୟସ୍ଥାନ କେବଳ ଥିବାର ଦେଖିବ ବା ଅନୁମାନ କରିବ । ଏହି ଶୂନ୍ୟସ୍ଥାନ ବା ସୂକ୍ଷ୍ମାଂଶରୁ ହିଁ ସ୍ଥୂଳରୂପଧାରୀ ବିଶାଳ ବଟବୃକ୍ଷର ସୃଷ୍ଟି ।” (ଗ) ପୃଥିବୀର ପ୍ରତ୍ୟେକ ବସ୍ତୁରେ ତେଜ ରୂପରେ ଅଗ୍ନି ଅଦୃଶ୍ୟ ଭାବରେ ବିଦ୍ୟମାନ ଅଛି । ଆମେ ଚାହିଁବା ମାତ୍ରେ ଅର୍ଥାତ୍‍ କେତେକ ବସ୍ତୁ ମିଳିତ ହେବାମାତ୍ରେ ଏହି ଅଦୃଶ୍ୟମାନ ସୂକ୍ଷ୍ମ ଅଗ୍ନି ବିରାଟ ସ୍ଥୂଳ ରୂପ ଧାରଣ କରି ଗ୍ରାମ ଓ ବଣ ଭସ୍ମ କରି ଦେଉଛି, କେତେବେଳେ ଅବା ରନ୍ଧନ ପ୍ରଭୃତି କାର୍ଯ୍ୟରେ ସାହାଯ୍ୟ କରୁଛି । ଈଶ୍ଵର ଅଗ୍ନିପରି ସର୍ବତ୍ର ବିଦ୍ୟମାନ ଅଛନ୍ତି । ଭକ୍ତ ଚାହିଁବା ମାତ୍ରେ କିମ୍ବା ଭକ୍ତର ଆବଶ୍ୟକ ରୂପରେ ସେ ପ୍ରକାଶ ଲାଭ କରିପାରୁଛନ୍ତି । ଏହାର ଉଦାହରଣ ପ୍ରହ୍ଲାଦ ସମ୍ମୁଖରେ ନୃସିଂହ ରୂପ ।

 

ସୃଷ୍ଟି ପୂର୍ବରୁ ଈଶ୍ଵର ସୂକ୍ଷ୍ମ ରୂପରେ ଥିଲେ । ଆଉ କିଛି ନ ଥିଲା । ଈଶ୍ଵର ମନ କରି ନିଜେ ସ୍ଥୂଳ ରୂପ ହୋଇ ବିଭିନ୍ନ ନାମରେ ନାମିତ ହେଉଛନ୍ତି । ଜୀବମାନଙ୍କ ହିତ ପାଇଁ ଈଶ୍ଵର ଏହିପରି ସ୍ଥୂଳ ରୂପ ଧାରଣ କରିଛନ୍ତି । ପୁଣି ସେ ପଞ୍ଚଭୂତକୁ ଏକତ୍ର କରି ତାକୁ ଆଦେଶ ବା ମନ୍ତ୍ର ଦାନ କରି ଜୀବ ରୂପ କରିଛନ୍ତି । ଜଡ଼ ବସ୍ତୁ ଠାରୁ ଜୀବମାନଙ୍କ ଦେହରେ ଈଶ୍ଵରଙ୍କ ଅବସ୍ଥିତି ଅଧିକତର । ଆକାଶ ଯେପରି ସବୁଆଡ଼େ ଥାଇ ସୁଦ୍ଧା ନିଜର ଅନୁକୂଳ ସ୍ଥାନରେ ବେଶୀ ପରିମାଣରେ ଅଛି, ଯଥା–ପାହାଡ଼ ଭିତରେ ଅଳ୍ପ ଓ ଦେଉଳ ଭିତରେ ବେଶୀ ।

 

୨ୟ-ପ୍ରତ୍ୟେକ ପ୍ରାଣୀ ଭିତରେ ଏବଂ ପ୍ରତ୍ୟେକ ବସ୍ତୁ ଭିତରେ ଈଶ୍ଵର ରହିଥିବା ବିଷୟ ଭଲରୂପେ ବୁଝି ହେଲା । ଏବେ ଅନୁଗ୍ରହ କରି କହନ୍ତୁ, ଆମ ହିନ୍ଦୁମାନେ ମୂର୍ତ୍ତି ରୂପରେ ଈଶ୍ଵରଙ୍କୁ ପୂଜା କରନ୍ତି କାହିଁକି ? ତାହାଦ୍ୱାରା ସର୍ବବ୍ୟାପୀ ଈଶ୍ଵରଙ୍କୁ ଗୋଟିଏ ସୀମା ଭିତରେ ରଖାଗଲା । ଏହା କିପରି ଉଚିତ, ମୁଁ ବୁଝିପାରୁ ନାହିଁ ।

 

୧ମ–ମନୁଷ୍ୟକୁ ଈଶ୍ଵରଙ୍କ ନିକଟକୁ (ବୈକୁଣ୍ଠ ପୁରକୁ ବା ଗୋଲକ ଧାମକୁ ବା ନିଜ ଇଷ୍ଟଦେବଙ୍କ ପୁରକୁ) ଯିବାକୁ ହେଲେ କିମ୍ବା ମୁକ୍ତି ପାଇବାକୁ ହେଲେ ଈଶ୍ଵରଙ୍କ ସର୍ବବ୍ୟାପକତା ଯେ ସ୍ଵୀକାର୍ଯ୍ୟ, ଏହା ନିରାଟ ସତ୍ୟ । ଈଶ୍ଵର ସବୁଠାରେ ଅଛନ୍ତି, ଏ ବିଶ୍ଵାସ ଦୃଢ଼ ହେଲେ କେହି କୌଣସି ସ୍ଥାନରେ ଅସତ୍‍ କାର୍ଯ୍ୟ କରିବ ନାହିଁ; ଫଳରେ ସର୍ବଦା ପବିତ୍ର ରହିବ । ଅସତ୍‍ କାର୍ଯ୍ୟର ଶେଷରେ ଅଶାନ୍ତି ଓ ସତ୍‍ କାର୍ଯ୍ୟ ଶେଷରେ ଶାନ୍ତି ମିଳେ । କିନ୍ତୁ ଅସତ୍‍ ସ୍ଵଭାବ ଯୁକ୍ତ ମନୁଷ୍ୟକୁ ଯଦି କୁହାଯିବ, “ଈଶ୍ଵର ସବୁ ସ୍ଥାନରେ ଅଛନ୍ତି । ତୁମ୍ଭେ ଈଶ୍ଵରଙ୍କ ଆଖି ଆଗରେ କୌଣସି ଅସତ୍‍ କାର୍ଯ୍ୟ କରିପାରିବ ନାହିଁ ।” ସେ ବଡ଼ ଅଡ଼ୁଆରେ ପଡ଼ିଯିବ । ତାହାର ସ୍ଵଭାବ ସେ ହଠାତ୍‍ ଛାଡ଼ିପାରିବ ନାହିଁ । ଯେଣୁ ମନ୍ଦ ଅଭ୍ୟାସଗୁଡ଼ିକ ହଠାତ୍‍ ଛାଡ଼ିବା ବଡ଼ କଷ୍ଟ । ସେ ଈଶ୍ଵରଙ୍କ ସର୍ବବ୍ୟାପକତାରେ ଘୋର ସନ୍ଦେହ କରିବ ଏବଂ ସର୍ବଦା ସର୍ବତ୍ର ଅସତ୍‍ କାର୍ଯ୍ୟ କରିବାକୁ ତିଳେହେଲେ କୁଣ୍ଠିତ ହେବ ନାହିଁ । ତାହାହେଲେ ତାହାର ଉତ୍‍ଥାନର ଆଶା ସୁଦୂର ପ୍ରତିହତ ହେବ-

 

ଲୋକ ପ୍ରଥମେ ଅଳ୍ପ କଷ୍ଟଦାୟକ ଅଭ୍ୟାସ ସାଧନ କରିପାରିବ । ଯଦି ତାକୁ ମୂର୍ତ୍ତି ପାଖରେ ତଥା ମନ୍ଦିରରେ ଅସତ୍‍ କାର୍ଯ୍ୟ ନ କରିବାକୁ କୁହାଯାଏ, ତେବେ ସେ ସେହି ସ୍ଥାନରେ ଅଳ୍ପ ସମୟ ପାଇଁ ସାବଧାନ ରହିବ । ଅଳ୍ପ ପରିମିତି ସ୍ଥାନରେ ଓ ଅଳ୍ପ ସମୟରେ ପବିତ୍ର ରହିବାକୁ ଅଭ୍ୟସ୍ତ ହେବା ପରେ ସେ ସବୁବେଳେ ସବୁ ସ୍ଥାନରେ ପବିତ୍ର ରହି ପାରିବ । ଏଥିପାଇଁ ମୂର୍ତ୍ତିପୂଜା କ୍ରମୋନ୍ନତିର ନିଦର୍ଶନ ।

 

ମନୁଷ୍ୟ ରୂପହୀନ ଈଶ୍ଵରଙ୍କ ଧ୍ୟାନ ଧାରଣା ସହଜରେ କରିପାରେ ନାହିଁ । ତେଣୁ ସେ ସ୍ଥୂଳରୁ ସୂକ୍ଷ୍ମ, ସୂକ୍ଷ୍ମରୁ ସୂକ୍ଷ୍ମତମ ଈଶ୍ଵରଙ୍କ ଚିନ୍ତା କରିପାରିବ । ଏହାକୁ ଅରୁନ୍ଧତୀନ୍ୟାୟ କହନ୍ତି । ଅରୁନ୍ଧତୀ ତାରା ଅତି ଛୋଟ । ଆଜି ଜଣକୁ ଏହି ଛୋଟ ତାରାଟି ଚିହ୍ନାଇ ଦେଲେ କାଲି ସେ ନିଜେ ଚିହ୍ନି ପାରିବ ନାହିଁ । ପ୍ରଥମେ ଉତ୍ତର ଦିଗ, ତାହାପରେ ସପ୍ତର୍ଷିମଣ୍ଡଳ, ତାହାପରେ ଅରୁନ୍ଧତୀ ତାରା ଚିହ୍ନାଇ ଦିଆଯାଏ । ଏହିପରି ବିରାଟ ଆକାର ଈଶ୍ଵରଙ୍କୁ ପ୍ରଥମେ ଛୋଟ ପଦାର୍ଥ ମଧ୍ୟରେ କଳ୍ପନା କରାଯାଏ । ଏହା କେବଳ ହିନ୍ଦୁ ଧର୍ମ ନୁହେଁ, ସବୁ ଧର୍ମର ନୀତି । ଏହି ସଂକୀର୍ଣ୍ଣତାହିଁ ଉନ୍ନତିର ସୋପାନ । ସ୍ଵାମୀ ବିକେକାନନ୍ଦ ଆମେରିକାସ୍ଥ ଚିକାଗୋ ସହରର ଧର୍ମ ମହାସଭାରେ ମଧ୍ୟ ଏହା ପ୍ରମାଣ କରିଥିଲେ ।

 

ଧରିନିଅ, ଜଣେ କୃଷ୍ଣ ମୂର୍ତ୍ତି ପୂଜା କରୁଛନ୍ତି । ସେ ଏକ ହସ୍ତ ପରିମିତ ପ୍ରସ୍ତର ମୂର୍ତ୍ତିକୁ ପୂଜା କରୁ ନାହାନ୍ତି । ସେ ସେହି ମୂର୍ତ୍ତିକୁ ସ୍ତବ କରୁଛନ୍ତି, “ହେ କୃଷ୍ଣ ! ଆପଣ ଜଗତ ରଚନା କରିଛନ୍ତି, ଜଗତର ପ୍ରତ୍ୟେକ ସ୍ଥାନକୁ ବ୍ୟାପି ରହିଛନ୍ତି ଏବଂ ସମସ୍ତଙ୍କୁ ପାଳନ କରୁଛନ୍ତି ।” ବ୍ରାହ୍ମଣମାନଙ୍କ ମନ୍ତ୍ରଗୁଡ଼ିକର ଅର୍ଥ ମଧ୍ୟ ଈଶ୍ଵରଙ୍କ ସର୍ବ ବ୍ୟାପକତା । ମୂର୍ତ୍ତି ପୂଜା ବେଳେ ଈଶ୍ଵରଙ୍କ ଗୁଣ ଓ କାର୍ଯ୍ୟକୁ ଯଦି ସ୍ମରଣ କରାଗଲା, ତେବେ ପ୍ରସ୍ତର ବା କାଷ୍ଠ ନିର୍ମିତ ମୂର୍ତ୍ତିକୁ ଈଶ୍ଵର କୁହାଯିବ କିପରି ?

 

ଭାରତର ଅନେକ ଲୋକ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ଈଶ୍ଵରରୂପେ ପୂଜା କରୁଛନ୍ତି । ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଠାରେ ଅନେକ ଭଲ ଗୁଣ ଥିଲା । ଆଜି ସେହି ଗୁଣଗୁଡ଼ିକୁ ପୂଜା କରାଯାଉଛି କହିଲେ ଚଳେ । ଲୋକ ଯେଉଁ ଗୁଣକୁ ଯେତେ ଆଦର ବା ଭକ୍ତି କରେ, ସେହି ଗୁଣକୁ ନିଜେ ଅଲକ୍ଷରେ ଅର୍ଜନ କରେ । ତାହାହେଲେ ମୂର୍ତ୍ତି ପୂଜାଦ୍ୱାରା ନିଜର ଗୁଣ ବୃଦ୍ଧି ହେଲା । ହିନ୍ଦୁମାନେ ଶ୍ରୀରାମ ଓ ଶ୍ରୀକୃଷ୍ଣ ମୂର୍ତ୍ତି ଛଡ଼ା ଅନ୍ୟ ଦେବ ଦେବୀଙ୍କ ମୂର୍ତ୍ତି ପୂଜା କରନ୍ତି । ସବୁ ଦେବାଦେବୀ ଈଶ୍ଵରଙ୍କ ନାମ । ଏକ ଈଶ୍ଵରଙ୍କ ଭିନ୍ନ ଗୁଣ ଅନୁସାରେ ଭିନ୍ନ ଭିନ୍ନ ଦେବାଦେବୀର କଳ୍ପନା ବେଦରେ କରାଯାଇଅଛି । କୌଣସି ମୂର୍ତ୍ତିକୁ ପୂଜା କଲାବେଳେ ଈଶ୍ଵରଙ୍କର ସେହି ଗୁଣ ସ୍ମରଣ କରିବା ଉଚିତ । ବେଦରେ ଅଛି–

 

ଏକଂ ସଦ୍‍ବିପ୍ରା ବହୁଧା ବଦନ୍ତି ।

 

ଅର୍ଥାତ୍‍ “ସତ୍‍ରୂପୀ ଈଶ୍ଵର ନିଶ୍ଚୟ ଏକ ଅଟନ୍ତି । ବେଦଜ୍ଞ ବ୍ରାହ୍ମଣମାନେ ଈଶ୍ଵରଙ୍କ ପ୍ରତ୍ୟେକ ଗୁଣ ବା କାର୍ଯ୍ୟକୁ ଏକ ଦେବ ବା ଦେବୀ ରୂପରେ କଳ୍ପନା କରି ବର୍ଣ୍ଣନା କରିଛନ୍ତି ।”

 

ପୂଜକ ମୂର୍ତ୍ତି ନିକଟରେ ଯେତେବେଳେ ସୁନ୍ଦର ସୁନ୍ଦର ପୁଷ୍ପ, ସୁନ୍ଦର ସୁନ୍ଦର ଖାଦ୍ୟ ଭକ୍ତିର ସହିତ ଦିଏ ଏବଂ ନାମ କୀର୍ତ୍ତିନ କରେ ସେତେବେଳେ ସେ ତନ୍ମୟ ହୁଏ; ତାହାର ଏକାଗ୍ରତା ଆସେ । ପୂଜା କରିବା ସମୟତକ ପୂଜକକୁ ପୂର୍ଣ୍ଣ ଏକାଗ୍ରତା ରଖିବାକୁ ପଡ଼େ । ଅଭ୍ୟାସ ଗଠନ, ଅଧ୍ୟୟନ, ଈଶ୍ଵର ଚିନ୍ତା, ପ୍ରକୃତିର ପର୍ଯ୍ୟବେକ୍ଷଣ ଓ ଈଶ୍ଵର ପ୍ରାପ୍ତି ପାଇଁ ଏକାଗ୍ରତା ଯେ ଏକାନ୍ତ ଆବଶ୍ୟକ; କେହି କେବେ ଅସ୍ଵୀକାର କରିପାରିବେ ନାହିଁ । ଲୋକ ମୂର୍ତ୍ତି ପୂଜାରେ ସେହି ଏକାଗ୍ରତାର ଅଭ୍ୟାସ ଆରମ୍ଭ କରି କ୍ରମେ କ୍ରମେ ବଢ଼ାଏ ଏବଂ ଶେଷରେ ଈଶ୍ଵରଙ୍କୁ ପାଏ ।

 

ମୂର୍ତ୍ତି ପୂଜାଦ୍ୱାରା ଲୋକ ଅଳ୍ପ ଜ୍ଞାନରେ ଈଶ୍ଵରଙ୍କୁ ପାଇ ପାରେ । ଈଶ୍ଵରଙ୍କ ସମ୍ବନ୍ଧରେ ଓ ଈଶ୍ଵରଙ୍କ ସୃଷ୍ଟି ପଦାର୍ଥଗୁଡ଼ିକ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ପାଇବା ବହୁ ସମୟ ଓ ଆୟାସସାଧ୍ୟ । ଯଦି ମନୁଷ୍ୟ ମୂର୍ତ୍ତିକୁ ପ୍ରାଣଠାରୁ ଅଧିକ ଭଲ ପାଏ, ମୂର୍ତ୍ତିର ଚିନ୍ତା ସବୁବେଳେ କରେ ଏବଂ ମୂର୍ତ୍ତି ପାଖରେ ସବୁବେଳେ ରହିବାକୁ ଚାହେଁ, ତେବେ ତାହାର ଆଉ ସମୟ କାହିଁ ଯେ, ସେ ଅସତ୍‍ ଚିନ୍ତା ବା ଅସତ୍‍ କାର୍ଯ୍ୟ କରିବ ? ବରଂ ମୂର୍ତ୍ତି ପ୍ରତି ଏକାଗ୍ରତା ଦୃଢ଼ ହୋଇଯିବ । ତାହାର ନିଜର ଇନ୍ଦ୍ରିୟ ଜନିତ କଷ୍ଟ ଏପରିକି ଦେହର କଷ୍ଟକୁ କଷ୍ଟ ନ ମଣି ମୂର୍ତ୍ତି ପୂଜାରେ ଲାଗିବ ।

 

ଏଣୁ ଇନ୍ଦ୍ରିୟଗୁଡ଼ିକ ଓ ମନ ଆପେ ଆପେ ସଂଯତ ହୋଇଯିବେ । ଯାହାକୁ ଇନ୍ଦ୍ରିୟ ଓ ମନ ଆଦୌ କଷ୍ଟ ନ ଦିଏ ସେ ଚିରଶାନ୍ତି ଭୋଗ କରେ । ସେ ଈଶ୍ଵରଙ୍କ ପାଖରେ ପହଞ୍ଚେ ଯେଣୁ ଈଶ୍ଵରଙ୍କ ସିଂହାସନ ଶାନ୍ତିରେ ନିର୍ମିତ । ଯେଉଁ ଲୋକ ଉକ୍ତ ସିଂହାସନ ଉପରେ ଈଶ୍ଵରଙ୍କୁ ଭିଡ଼ି ହୋଇ ବସିଲା, ଈଶ୍ଵରଙ୍କୁ ବା ନ ପାଇଲା କିପରି ? ନିଶ୍ଚୟ ପାଇଲା ।

 

୨ୟ–ଧର୍ମ କାହାକୁ କହନ୍ତି ଏବଂ ତାହାଦ୍ୱାରା ଆମର ଲାଭକ୍ଷତି କଅଣ ଅଛି ।

 

୧ମ–ଧର୍ମ ଶବ୍ଦର ଅର୍ଥ, ଯାହା ଧାରଣ କରେ । ଯେଉଁ କାର୍ଯ୍ୟ କଲେ ଶରୀର ରକ୍ଷା ହେବ, ତାହା ଶାରୀରିକ ଧର୍ମ; ଯେଉଁ କାର୍ଯ୍ୟ କଲେ ପରିବାର ରକ୍ଷା ହେବ, ତାହା ପାରିବାରିକ ଧର୍ମ; ଯେଉଁ କାର୍ଯ୍ୟ କଲେ ମାନବ ସମାଜ ରକ୍ଷା ହେବ, ତାହା ମାନବିକ ଧର୍ମ ଏବଂ ଯେଉଁ କାର୍ଯ୍ୟ କଲେ ସମସ୍ତ ଜୀବ ରକ୍ଷା ହେବ, ତାହା ଜୈବ ଧର୍ମ ଅଟେ । ଏତାଦୃଶ ଧର୍ମ ପାଳନ କଲେ ଆମ୍ଭେମାନେ ରକ୍ଷା ପାଇବା, ନଚେତ୍‍ ନଷ୍ଟ ହୋଇଯିବା । ଏଥିପାଇଁ ପୋଖରୀ ଖୋଳିବା, ସଡ଼କ ବାନ୍ଧିବା, ବିଦ୍ୟାଳୟ ବସାଇବା, ମନ୍ଦିର ନିର୍ମାଣ କରିବା, ଗରିବକୁ ଦାନ ଦେବା, ଚୋରି ନ କରିବା, ହିଂସା ନ କରିବା ଓ ସତ୍‍ କହିବା ପ୍ରଭୃତି କାର୍ଯ୍ୟଗୁଡ଼ିକୁ ଧର୍ମ କହନ୍ତି ।

 

ପୃଥିବୀରେ ହିନ୍ଦୁ, ମୁସଲମାନ, ବୌଦ୍ଧ ଓ ଖ୍ରୀଷ୍ଟିୟାନ ପ୍ରଭୃତିକୁ ଧର୍ମ କହନ୍ତି । ପ୍ରତି ଧର୍ମର ଉଦ୍ଦେଶ୍ୟ, ସେହି ଧର୍ମାବଲମ୍ବୀ ଲୋକମାନଙ୍କୁ ରକ୍ଷା ଓ ଉନ୍ନତି ପାଇଁ କାର୍ଯ୍ୟ କରିବା । ଆଉ ମଧ୍ୟ ପ୍ରତି ଧର୍ମର ଦ୍ଵିତୀୟ ଉଦ୍ଦେଶ୍ୟ, ନିଜ ଧର୍ମ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତ ଧର୍ମର ତଥା ମାନବ ସମାଜର ରକ୍ଷା ଓ ଉନ୍ନତି ପାଇଁ କାର୍ଯ୍ୟ କରିବା । କେତେକ ଲୋକ ନିଜ ଧର୍ମର ରକ୍ଷା ଓ ଉନ୍ନତି ପାଇଁ ପର ଧର୍ମର ନିନ୍ଦା ଓ କ୍ଷତି କରିବାକୁ ଯାଇଥାନ୍ତି । ତାହାଦ୍ୱାରା ନିଜ-ଧର୍ମ, ପରଧର୍ମ ଓ ମାନବ-ଧର୍ମର କ୍ଷତି ହୁଏ । ଏହା ଅବଶ୍ୟ ନିମ୍ନକୋଟୀ ଲୋକଙ୍କର କାର୍ଯ୍ୟ ।

 

ଧର୍ମର ଅର୍ଥ ପୁଣି ଦୁଇ ଭାଗରେ ବିଭକ୍ତ । ମାନବ-ସମାଜ ତଥା ଜୀବ ଜଗତର ରକ୍ଷାକରିବା ପ୍ରଥମ ଭାଗର ଅନ୍ତର୍ଗତ । ଏହି ପ୍ରଥମ ଭାଗ ସହିତ ନିଜ ଶରୀରର ସମ୍ପର୍କ, ଅର୍ଥାତ୍‍ ପ୍ରଥମ ଭାଗ ରକ୍ଷା ପାଇଲେ ନିଜ ଶରୀର ରକ୍ଷା ପାଇବ । ଦ୍ଵିତୀୟ ଭାଗ ସହିତ ନିଜ ଜୀବାତ୍ମାର ସମ୍ପର୍କ । ତାହାହେଲେ ଧର୍ମ ଶବ୍ଦର ଦ୍ଵିତୀୟ ଅର୍ଥ ହେଲା, ଯେଉଁ କାର୍ଯ୍ୟ କଲେ ନିଜର ଆତ୍ମା ଈଶ୍ଵରାଭିମୁଖୀ ହୋଇ ଈଶ୍ଵରଙ୍କ ନିକଟରେ ପହଞ୍ଚିବ ଏବଂ ଅସୀମ ଆନ୍ଦନ ଉପଭୋଗ କରିବ । ମାତା ଧନ ଅର୍ଜନ ପାଇଁ ପୁତ୍ରକୁ ଦୂର ବିଦେଶକୁ ପଠାଇଥାଏ । ପୁତ୍ର ବିଦେଶରେ ଥାଇ ମାତୃଭୂମି ତଥା ମାତାର ସ୍ନେହକୁ ସ୍ମରଣ କରୁଥାଏ । ଶେଷରେ ପୁତ୍ର ବିଦେଶରୁ ଫେରି ମାତୃ ଦର୍ଶନ କରି ଆନନ୍ଦ ଅନୁଭବ କରେ । ଈଶ୍ଵର ସେହିପରି ଜୀବାତ୍ମାକୁ ସଂସାର ମଧ୍ୟକୁ ପଠାଇଛନ୍ତି । ଜୀବାତ୍ମା ସର୍ବଦା ଈଶ୍ଵରଙ୍କୁ ସ୍ମରଣ କରିବ ଏବଂ ଶେଷରେ ଈଶ୍ଵରଙ୍କ ନିକଟରେ ପହଞ୍ଚି ଅସୀମ ଆନନ୍ଦ ଅନୁଭବ କରିବ ।

 

ଧର୍ମର ଏହି ଦୁଇ ପ୍ରକାର ଅର୍ଥକୁ ପାଳନ କରିବା ପାଇଁ ବେଦ, ଦର୍ଶନ, ପୁରାଣ, ଭଗବଦ୍‍ ଗୀତା, ଭାଗବତ ଓ ଯୋଗବାଶିଷ୍ଠ ପ୍ରଭୃତି ସମସ୍ତ ହିନ୍ଦୁ ଶାସ୍ତ୍ର, ଖ୍ରୀଷ୍ଟିୟାନଙ୍କ ବାଇବେଲ୍‍, ମୁସଲମାନଙ୍କ କୋରାନ ଓ ବୌଦ୍ଧଙ୍କ ତ୍ରିପିଟକ ପ୍ରଭୃତି ପୃଥିବୀର ଧର୍ମଶାସ୍ତ୍ରମାନ ବାରମ୍ବାର ଉପଦେଶ ଦେଉଛନ୍ତି । ପ୍ରତ୍ୟେକ ମାନବ ଏହି ଉପଦେଶଗୁଡ଼ିକ ଜାଣି ତଦନୁସାରେ କାମ କଲେ ଆଧୁନିକି ଯୁଗରେ ମଧ୍ୟ ଆଦର୍ଶ ସଂସାରୀ ହେବା ସଙ୍ଗେ ସଙ୍ଗେ ପରମ ଶ୍ରେୟ ଈଶ୍ଵରଙ୍କୁ ପାଇ ପାରିବ ।

 

୨ୟ–ସଂସାର ଭିତରେ ଚଳିବାକୁ ହେଲେ କି କି ନିୟମ ମାନିବାକୁ ପଡ଼ିବ, ସଂକ୍ଷେପରେ କହନ୍ତୁ ।

 

୧ମ–କ୍ଷୁରରେ କ୍ଷୌର ହୋଇପାରିଲେ ମୁହଁଟି ସୁନ୍ଦର ଦିଶେ । ଟିକିଏ ଅସାବଧାନ ହେଲେ ସୁନ୍ଦର ଦିଶିବା ଦୂରେ ଥାଉ ମୁହଁଟି କ୍ଷତ ବିକ୍ଷତ ହୋଇଯାଏ । ସେହିପରି ସାବଧାନ ହୋଇ ଚଳିଲେ ସଂସାର ଆନନ୍ଦମୟ ହୁଏ, ନଚେତ୍‍ କଣ୍ଟକମୟ ହୁଏ ।

 

ସଂସାରରେ ଚଳିବା ପାଇଁ ନିୟମଗୁଡ଼ିକର ସଂଖ୍ୟା କରି ହେବ ନାହିଁ । ଯେଉଁ ନିୟମ ନିଜକୁ ଓ ଅନ୍ୟମାନଙ୍କୁ ସୁଖଶାନ୍ତି ଦେବ ସେହି ନିୟମ ପାଳନ କରିବାକୁ ହେବ । ଏପରି ନିୟମ ଆମେ ଅନେକ ଜାଣନ୍ତି କିନ୍ତୁ ହେୟ ମନେକରି ସେଗୁଡ଼ିକ ପାଳନ କରନ୍ତି ନାହିଁ । ନିୟମ ପାଳନ କରିବାକୁ ଯିବା ପୂର୍ବରୁ କଷ୍ଟ ସହିଷ୍ଣୁ ଓ ଦୃଢ଼ ପ୍ରତିଜ୍ଞ ହେବା ଏକାନ୍ତ ଆବଶ୍ୟକ ।

 

ଉଦାହରଣ ସ୍ୱରୂପ କେତୋଟି ନିୟମ–

 

(୧) ପିତାମାତାଦି ଗୁରୁଜନମାନଙ୍କୁ ହୃଦୟର ସହିତ ଭକ୍ତି କର ଏବଂ ଲଘୁଜନମାନଙ୍କୁ ସ୍ନେହ କର । (୨) ଉପକାରୀର ଉପକାର ମାନ ଏବଂ ପ୍ରତ୍ୟୁପକାର କରିବାକୁ ଜିଦ୍‍ଧର । (୩) ନିଜର ସ୍ଵାର୍ଥ ସହିତ ପରର ସ୍ଵାର୍ଥ ଦେଖ । (୪) ନିଜର ମାନ କମିଲେ ମନରେ କଷ୍ଟ ଆଣ ନାହିଁ, ପୁଣି ପରର ମାନ କମାଅ ନାହିଁ ବରଂ ଅଧିକ ଦିଅ । (୫) ଅଳସ ହୁଅ ନାହିଁ, ସର୍ବଦା କୌଣସି ଏକ ସୁଚିନ୍ତିତ କାର୍ଯ୍ୟରେ ବ୍ୟସ୍ତ ରୁହ । (୬) ନିଜର କର୍ତ୍ତବ୍ୟ ସ୍ଥିର କରିବା ପୂର୍ବରୁ ଅନ୍ତତଃ ଦଶ ଥର ଚିନ୍ତା କର । (୭) ବିଦ୍ୟା, ବୁଦ୍ଧି ଓ ଧନଠାରୁ ଗୁଣକୁ ବଡ଼ ବୋଲି ମନେରଖ । (୮) ପରର ତଥା ଦେଶର ଉପକାର କରିବାକୁ ଯଥାସାଧ୍ୟ ଚେଷ୍ଟା କର । (୯) ସବୁ ଧର୍ମର ଈଶ୍ଵର ଏକ ଏବଂ ସବୁ ମନୁଷ୍ୟର ରକ୍ତ ମାଂସ ଏକ, ଏହା ମନେରଖ । (୧୦) ଈଶ୍ଵର କିପରି ସୃଷ୍ଟି କରୁଛନ୍ତି ଏବଂ କିପରି ପାଳୁଛନ୍ତି ଏ ବିଷୟ ଚିନ୍ତା କର । (୧୧) ସୁଖ ଦୁଃଖରେ ବିଚଳିତ ହୁଅ ନାହିଁ । (୧୨) ସତ କହିବାର ଅଭ୍ୟାସ ବଢ଼ାଅ (୧୩) ପ୍ରତିଦିନ ଅନ୍ତତଃ ଅଧଘଣ୍ଟାଏ ଧର୍ମଶାସ୍ତ୍ର ପଠନରେ ବା ଈଶ୍ଵର ପୂଜା ବା ଈଶ୍ଵରଙ୍କ ଗୁଣ କୀର୍ତ୍ତନରେ ବ୍ୟୟ କର । (୧୪) କୌଣସି କଥାରେ ହଠାତ୍‍ ଅନ୍ଧବିଶ୍ଵାସ ଆଣ ନାହିଁ-। ନିଜେ ପ୍ରମାଣ କରିସାରି ବିଶ୍ଵାସ କର । (୧୫) କୌଣସି ଲୋକଠାରେ ଭଲ ଓ ମନ୍ଦ ଗୁଣ ଥିଲେ, ମନ୍ଦ ଗୁଣର ଆଲୋଚନା କର ନାହିଁ, କେବଳ ଭଲ ଗୁଣର ଆଲୋଚନା କର ।

 

ଏହି ପନ୍ଦରଟି ନିୟମ ମାନି ଚଳ ଦେଖିବ, ତୁମ୍ଭର ସଂସାର କେତେ ଆନ୍ଦନଦାୟକ ହେବ । ଏହାପରେ ତୁମ୍ଭେ ନିଜେ ଚେଷ୍ଟା କରି କେତେକ ନିୟମ ଗଢ଼ିପାରିବ । ପୁଣି ମନେରଖ ନିୟମ ଗଢ଼ିବା ସହଜ କିନ୍ତୁ ନିୟମ ପାଳନ କରିବା କଷ୍ଟ । କୌଣସି ନିୟମ ପାଳନ କରିବାର ସ୍ଵାଦୁ ପାଇଗଲେ ଆଉ ଛାଡ଼ିବା ସହଜ ନୁହେଁ । ପ୍ରଥମେ ନିୟମ ପାଳନ ପାଇଁ ଜିଦ୍‍ ଧରି ଅଭ୍ୟାସ କର ।

 

ଆଜି ଏତିକି ଥାଉ । ତୁମ୍ଭେ ଧୈର୍ଯ୍ୟ ଧରି ଶୁଣିଛ ସେଥିପାଇଁ ତୁମ୍ଭଙ୍କୁ ଧନ୍ୟବାଦ ଦେଲି । ଈଶ୍ଵର ତୁମ୍ଭଙ୍କୁ ଜଣେ ଆଦର୍ଶ ମାନବ କରନ୍ତୁ । ଏହାହିଁ ମୋର ତୁମ୍ଭ ପ୍ରତି ଆଶୀର୍ବାଦ । ଏବେ ଚାଲ, ଦୁହେଁ ନିଜ ନିଜ କାମରେ ଯିବା । ମୁଁ ତୁମ୍ଭଙ୍କୁ ଯାହା କିଛି ବୁଝାଇଲି ଯଦି ସେଗୁଡ଼ିକ ତୁମ୍ଭ ମନକୁ ପାଇଲା, ତେବେ ପ୍ରତି ଦିନରେ ଥରେ କିମ୍ବା ପ୍ରତି ସପ୍ତାହରେ ଥରେ ସେଗୁଡ଼ିକ ସ୍ମରଣ କର । ପୁଣି ନିଜର ଦୈନିନ୍ଦିନକାର୍ଯ୍ୟ କଲାପରେ ଗତିବିଧି ସହିତ ମିଳାଇ ସଂଶୋଧନ କର ।

 

(ଏହାପରେ ଦୁହେଁ ପରସ୍ପର ଠାରୁ ବିଦାୟ ନେଇ ନିଜ ନିଜ ଘରକୁ ଗଲେ ।)

Image